ଭାରତରେ ପ୍ରଧାନମନ୍ତ୍ରୀ ଓ ସାଂସଦଙ୍କ ବେତନ କେତେ, ମିଳେ କେଉଁ ସବୁ ସୁବିଧା?

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ ୯।୬: ଲୋକେ ପ୍ରଧାନମନ୍ତ୍ରୀଙ୍କ କାମ ଜାଣନ୍ତି, ହେଲେ ତାଙ୍କୁ ମିଳୁଥିବା ବେତନ ଓ ସୁବିଧା ସୁଯୋଗ ନେଇ ସମସ୍ତେ ଜାଣନ୍ତିନି। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଓ ସାଂସଦଙ୍କୁ ମିଳୁଥିବା ବେତନ, ଭତ୍ତା ଓ ଅନ୍ୟ ସୁବିଧା ସୁଯୋଗ ସମ୍ପର୍କରେ। ଭାରତରେ ପ୍ରଧାନମନ୍ତ୍ରୀଙ୍କୁ ମାସିକ ୧ଲକ୍ଷ ୬୬ ହଜାର ଟଙ୍କା ବେତନ ମିଳିଥାଏ। ଏଥିରେ ୫୦ ହଜାର ଟଙ୍କା ବେସିକ ସାଲାରୀ ସମେତ ୩ ହଜାର ଟଙ୍କାର ବ୍ୟୟ ଭତ୍ତା, ୪୫ ହଜାର ଟଙ୍କାର ସଂସଦୀୟ ଭତ୍ତା ଓ ୨ ହଜାର ଟଙ୍କା ଦୈନିକ ଭତ୍ତା ମଧ୍ୟ ସାମିଲ। 

ସେହିପରି ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ସୁବିଧା ମଧ୍ୟରେ ତାଙ୍କୁ ଏକ ଅଧିକାରୀକ ସରକାରୀ ବାସଭବନ ମିଳିଥାଏ। ଏହା ଛଡା ବିଶେଷ ସୁରକ୍ଷା ସମୂହ (ଏସପିଜି) ସୁରକ୍ଷା, ସରକାରୀ ବାହନ ଓ ବିମାନ ସୁବିଧା, ଅନ୍ତର୍ଜାତୀୟ ଯାତ୍ରାରେ ଗଲେ ସରକାରଙ୍କ ପକ୍ଷରୁ ଭଡ଼ା, ରହିବା ଓ ଭୋଜନ ଖର୍ଚ୍ଚ ମଧ୍ୟ ବହନ କରାଯାଇଥାଏ। ଯଦି ଭାରତରେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପଦବୀରୁ ଯିବା ପରେ ମଧ୍ୟ ତାଙ୍କୁ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ୫ ବର୍ଷ ନିମନ୍ତେ ନିଶୁଳ୍କ ସରକାରୀ ଆବାସ, ବିଦ୍ୟୁତ, ପାଣି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥାଏ। 

ସେହିପରି ସଂସଦ ସଦସ୍ୟ ( ଏମପି)ଙ୍କୁ ପ୍ରତି ମାସରେ ୧ଲକ୍ଷ ଟଙ୍କା ବେତନ ମିଳିଥାଏ। ଏହା ଛଡା ଦୈନିକ ଭତ୍ତା ମଧ୍ୟ ମିଳିଥାଏ, ଯାହା ପ୍ରତି ୫ ବର୍ଷରେ ବୃଦ୍ଧି ହୁଏ। ଭାରତରେ ସାଂସଦଙ୍କୁ ସଂସଦ ଅଧିବେଶନ, କମିଟି ବୈଠକରେ ଯୋଗ ଦେବା ପାଇଁ ୨ହଜାର ଟଙ୍କା ଲେଖାଏଁ ଦୈନିକ ଭତ୍ତା, ସଡକା ଯାତ୍ରା ନିମନ୍ତେ ପ୍ରତି କିଲୋମିଟର ୧୬ ଟଙ୍କା ହିସାବରେ ଯାତ୍ରା ଭତ୍ତା ମଧ୍ୟ ମିଳିଥାଏ। 

ଏହା ଛଡା ସାଂସଦଙ୍କୁ ମାସିକ ୪୫ହଜାର ଟଙ୍କା ନିର୍ବାଚନମଣ୍ଡଳି ଗସ୍ତ ଭତ୍ତା ଓ ପ୍ରତି ମାସରେ ୪୫ ହଜାର ଟଙ୍କାର କାର୍ଯ୍ୟାଳୟ ଭତ୍ତା ମଧ୍ୟ ମିଳିଥାଏ। ଏଥିରେ ଷ୍ଟେସନାରୀ ଓ ଡାକ ନିମନ୍ତେ ୧୫ ହଜାର ଟଙ୍କା ସାମିଲ ଥାଏ। ବେତନ ବ୍ୟତୀତ ସାଂସଦଙ୍କ ପରିବାର ନିମନ୍ତେ ନିଶୁଳ୍କ ମେଡିକାଲ ସୁବିଧା, ଏକ ସରକାରୀ କ୍ୱାର୍ଟର, ନିଜର ଓ ନିକଟତମ ସମ୍ପର୍କିୟଙ୍କ ଲାଗି ପ୍ରତି ବର୍ଷ ୩୪ ନିଶୁଳ୍କ ବିମାନ ଯାତ୍ରା ସୁବିଧା ମଧ୍ୟ ମିଳିଥାଏ। ସେମାନଙ୍କୁ ଟ୍ରେନରେ ମଧ୍ୟ ନିଶୁଳ୍କ ପ୍ରଥମ ଶ୍ରେଣୀ ଟ୍ରେନ ଯାତ୍ରା ସୁବିଧା ମିଳିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.