EXIT POLLର ସତ୍ୟତା: କେତେ ସଠିକ୍‌ ଆକଳନ କରେ ବୁଥ୍‌ ବାହୁଡା ମତାମତ୍, ଭୋଟିଂ ପରେପରେ କାହିଁକି ଆସିଥାଏ ପୋଲ୍‌?

Published By : Prameya-News7 Bureau | March 09, 2022 IST

ନୂଆଦିଲ୍ଲୀ ୦୯/୦୩: ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହେବ ଫଳାଫଳ । ଏହ ପୂର୍ବରୁ ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌ ନିଜର ମତ ଦେଇସାରିଛି । ବିଭିନ୍ନ ଏକଜିଟ୍‌ ପୋଲ୍‌ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତେବେ ଅନେକ ଲୋକ ଏକଜିଟ୍‌ ପୋଲକୁ ଠିକ୍‌ ବୋଲି କହୁଥିବା ବେଳେ କିଛି ଲୋକେ, ଏକଜିଟ୍‌ ପୋଲ ବିପକ୍ଷରେ ଫଳାଫଳ ହେବ ବୋଲି ମତଦେଉଛନ୍ତି ।

ଏକଜିଟ୍‌ ପୋଲ କ'ଣ?

୧୯୬୭ ମସିହାରେ ପ୍ରଥମ ଥର ପାଇଁ ଆସିଥିଲା ଏକଜିଟ୍‌ ପୋଲ ବା ବୁଥ୍‌ ବାହୁଡା ମତାମତ । ସେବେଠାରୁ ଭାରତ ସମେତ ବିଶ୍ବର ଅନେକ ଦେଶରେ ଚାଲୁରହିଛି ଏକଜିଟ୍‌ ପୋଲ । ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ ହେଉଛି, ଭୋଟ ଦେଇ ବାହାରକୁ ଆସିଥିବା ମତଦାତାଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ସାକ୍ଷାତକାର । ମତଦାତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥାଏ । ସେମାନଙ୍କ ଉତ୍ତର ଅନୁଯାୟୀ ଏବଂ କେଉଁଭଳି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ସେହି ଅନୁସାରେ ଏକଜିଟ୍‌ ପୋଲ୍‌ ପ୍ରସ୍ତୁତ କରାଯାଇଥାଏ ।

ଭୋଟିଂ ପରେପରେ କାହିଁକି ଆସିଥାଏ ପୋଲ୍‌

ଜନପ୍ରତିନିଧିତ୍ବ ଆଇନ ୧୯୫୧ ଅନୁଯାୟୀ, ଧାରା ୧୨୬ଏ ଆଧାରରେ ମତଦାନ ସମୟରେ ଏଭଳି କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ଯେଉଁଥିରେ ମତଦାତା ପ୍ରଭାବିତ ହେବେ କିମ୍ବା ସେମାନଙ୍କୁ କୌଣସି କାରଣରୁ ନେଇ ଦ୍ବନ୍ଦରେ ପଡିବେ । ସେଥିପାଇଁ ଭୋଟିଂ ପ୍ରକ୍ରିୟା ଶେଷ ହେବାର ଦେଢ ଘଣ୍ଟା ଯାଏଁ ଏଜ୍‌ଜିଟ୍‌ ପୋଲ ପ୍ରସାରଣ କରାଯାଇନଥାଏ ।

ଏହାକୁ କାହିଁକି କିଛି ଲୋକ ବିରୋଧ କରନ୍ତି?

ଏକଜିଟ୍‌ ପୋଲ କୌଣସି ବୈଜ୍ଞାନିକ କିମ୍ବା ଅଧିକାଂଶ ଲୋକଙ୍କୁ ନେଇ କରାଯାଇନଥାଏ । ନିର୍ଦ୍ଧିଷ୍ଟି କିଛି ଲୋକଙ୍କୁ ନେଇ ବୁଥ୍‌ ବାହୁଡା ମତ ପ୍ରକାଶ କରାଯାଇଥାଏ । ସେହି ଆଧାରରେ ହିଁ ପ୍ରସ୍ତୁତ କରାଯାଇଥାଏ ଏକଜିଟ୍‌ ପୋଲ । କିନ୍ତୁ ଅନେକ ସ୍ଥାନରେ ଏକଜିଟ୍‌ ପୋଲକୁ ନେଇ ବିବାଦ ଦେଖାଦେଇଥାଏ । ଅନେକ ଦେଶରେ ଏହାକୁ ବନ୍ଦ କରିବାକୁ ଅପିଲ୍‌ ମଧ୍ୟ ହେଉଛି । କଡା ବିରୋଧ କରୁଛନ୍ତି ଜନସାଧାରଣ ।

କେତେ ସତ ଏକଜିଟ୍‌ ପୋଲ?

ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ, ଏକଜିଟ୍‌ ପୋଲ କେତେ ସତ । କାରଣ ବିଭିନ୍ନ ସମୟରେ ଏକଜିଟ୍‌ ପୋଲର ଫଳାଫଳ ଏବଂ ମତଦାନ ଫଳାଫଳ ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥାଏ । ସେଥିପାଇଁ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୁଏ । ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୭୫ ପ୍ରତିଶତ ଏକଜିଟ୍‌ ପୋଲର ଆକଳନ ସଠିକ୍‌ ସାବ୍ୟସ୍ତ ହୋଇଥାଏ । ସେହିଭଳି ୨ ପ୍ରତିଶତଙ୍କ ସର୍ଭେ ରିପୋର୍ଟ ଆଭରେଜ୍‌ ହୋଇଥାଏ ।

ଏକଜିଟ୍‌ ପୋଲର କିଛି ଉଦାହରଣ ଦେଖିବାକୁ ଗଲେ, ୨୦୧୪ରେ ଗୋଟିଏ ଏଜେନ୍ସିର ଆକଳନ ଅନୁଯାୟୀ, ବିଜେପିକୁ ୨୯୧ ସିଟ୍‌ ଏବଂ ଏନ୍‌ଡିଏ ମେଣ୍ଟକୁ ମୋଟ ୩୪୦ ସିଟ୍‌ ମିଳିବ ବୋଲି ଆକଳନ କରିଥିଲା । ତେ​‌ବେ ଫଳାଫଳ ଆସିବା ପରେ ବିଜେପିକୁ ଏକାକି ୨୮୨ ସିଟ୍ ମିଳିଥିବା ବେଳେ ଏନ୍‌ଟିଏ ମେଣ୍ଟକୁ ମିଳିଥିଲା ୩୩୬ ସିଟ୍‌ । ସେହିଭଳି ୨୦୧୯ରେ ଏକଜିଟ୍‌ ପୋଲ ଗୁଡିକର ଆଭରେଜ୍‌ ସିଟ୍‌ ବିଜେପିକୁ ୩୦୪ ମିଳିଥିଲା । ତେ​ବେ ଆଶ୍ଚର୍ଯ୍ୟଜନକ ଭାବେ ଏନ୍‌ଡିଏ ବଦଳରେ ବିଜେପି ଏକାକି ପାଇଥିଲା ୩୦୩ ସିଟ୍‌ । NDA ଖାତାକୁ ଯାଇଥିଲା ୩୫୧ ସିଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.