କଣ ଏହି ଡିପ୍ଫେକ୍ ଟେକ୍ନୋଲୋଜି ? ଏପରି କରିବା ଦ୍ବାରା କଣ ମିଳିଥାଏ ଦଣ୍ଡ ?
11/11/2023 at 3:50 PM

ନୂଆଦିଲ୍ଲୀ ୧୧।୧୧: ଅଶ୍ଳୀଳ ଫଟୋ ଏବଂ ଭିଡିଓର ରହିଛି ବହୁତ ବଡ ମାର୍କେଟ । ଗତ କିଛି ବର୍ଷ ହେବ ଏହା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଏକ ରିପୋର୍ଟ ଅନୁଯାୟୀ ଅଧିକାଂଶ ଅଶ୍ଳୀଳ ଭିଡିଓ ଡିପ୍ଫେକକୁ ବ୍ୟବହାର କରି ତିଆରି କରାଯାଉଛି । ଏହା ସେହି ଡିପ୍ଫେକ୍, ଯେଉଁଥିରେ ଅଭିନେତ୍ରୀ ତଥା ନ୍ୟାସ୍ନାଲ୍ କ୍ରସ୍ ରଶ୍ମିକା ମନ୍ଦନାଙ୍କ ଭିଡିଓ ତିଆରି କରାଯାଇଛି ।

ଅନ୍ୟ ଜଣେ ମହିଳାଙ୍କ ଶରୀରରେ ରଶ୍ମିକାଙ୍କ ଚେହେରା ଲଗାଯାଇଛି ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚାକୁ ଆସିଛି ଡିପ୍ଫେକ୍ । କଣ ଏହି ଡିଫ୍ଫେକ୍ ଟେକ୍ନୋଲୋଜି? ଏହାର ସାହାଯ୍ୟରେ କେମିତି ହୁଏ ଭିଡିଓ ? ଏପରି କରିବା ଦ୍ବାରା କଣ ଦଣ୍ଡ ମିଳିଥାଏ ? Deepfacke ଶବ୍ଦ ଆସିଛି Deep Learningରୁ । ଏହା ହେଉଛି ଏକ ଟେକ୍ନିକ୍ । ଯେଉଁଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସି ବା AIର ବ୍ୟବହାର କରି ଫଟୋ କିମ୍ବା ଭିଡିଓ ହେର୍ଫେର୍ କରାଯାଇଥାଏ । ତେବେ Deepfacke ଦୁଇଟି ଶବ୍ଦକୁ ନେଇ ଗଠିତ ।

ପ୍ରଥମଟି ହେଉଛି ଗଭୀର ଶିକ୍ଷା ଏବଂ ଦ୍ୱିତୀୟଟି ନକଲି । ଯାହାକି ଏକ ଟେକନିକାଲ ଟର୍ମ । ଏହା ଏକ ଜେନେରେଟିଭ୍ ମଡେଲ୍ ଅଧୀନରେ ବ୍ୟବହୃତ ହୁଏ । ଏଥିରେ ଜଣକଙ୍କ ଚେହେରା ଅନ୍ୟ ଜଣଙ୍କ ଶରୀର ସହିତ ରଖାଯାଇଥାଏ । ଏଥିରେ ଲିପ୍ସିଙ୍ଗ୍ ଏବଂ ଅଡିଓ ଏତେ ସଠିକ୍ ହୋଇଥାଏ ଯେ, କେଉଁଟି ଅସଲି କିମ୍ବା ନକଲି ଚିହ୍ନିବା କଷ୍ଟକର ।୨୦୧୭ରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଥିଲା ଡିପ୍ଫେକ୍ । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କର ରେଡ୍ଡିଟ୍ ଆକାଉଣ୍ଟର ନାଁ ଡିପ୍ଫେକ୍ ରଖିଲେ । ଆଉ ସାରା ବିଶ୍ୱର ନାମୀଦାମୀ ଚେହେରାକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ତିଆରି କଲେ । ଯେଉଁଥିରେ ଭ୍ଲାଦିମିର ପୁଟିନଙ୍କ ଭଳି ବିଶ୍ବ ନେତାଙ୍କୁ ବି ଛା଼ଡିନଥିଲା ।

କାରଣ ଡିପ୍ଫେକ ପାଇଁ ଆବଶ୍ୟକ ହୋଇଥାଏ ଭିଡିଓ ଏବଂ ଫଟୋ । ଏଥିପାଇଁ ବିଶ୍ବର ନାମୀଦାମୀ ଚେହାର ହିଁ ଏହାର ବେଶୀ ଶିକାର ହୋଇଥାନ୍ତି । କାରଣ ଏମାନଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସହଜରେ ମିଳିଯାଇଥାଏ । ଅନେକ ଫିଲ୍ମରେ ଡିପ୍ଫେକ୍ ମଧ୍ୟ ବ୍ୟବହୃତ ହୋଇଥାଏ । କିନ୍ତୁ ବର୍ତ୍ତମାନ ଏହି ଟେକ୍ନୋଲୋଜିର ଅପବ୍ୟବହାର ଅଧିକରୁ ଅଧିକ ମାତ୍ରାରେ ହେଉଛି । ଖାସ୍ କରି ପର୍ଣ୍ଣ ଇଣ୍ଡଷ୍ଟ୍ରି, ସେକ୍ସଟର୍ସନ୍, ଫେକ୍ ନ୍ୟୁଜ୍, ସାଇବର ଠକେଇ ଇତ୍ୟାଦି ଜିନିଷରେ ଡିପ୍ଫେକ୍ର ବ୍ୟବହାର ଖୁବ୍ ଦ୍ରୁତଗତିରେ ବୃଦ୍ଧି ପାଇଛି ।

କୌଣସି ଫଟୋ କିମ୍ବା ଭିଡିଓକୁ ଡିପ୍ଫେକ୍ର ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ଆଇନଗତ ଅପରାଧ । ପୂର୍ବରୁ ଏପରି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେଉଥିଲା । କିନ୍ତୁ ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଜାଲିଆତି ବିଭାଗ ଅଧୀନରେ ଡିପ୍ଫେକ୍ ମାମଲା ପଞ୍ଜୀକୃତ ହୋଇପାରିବ ।

ଯଦି ସାଇବର ଠକେଇ କିମ୍ବା ବ୍ଲାକମେଲିଂ କରାଯାଏ, ତେବେ ଆଇପିସିର ଧାରା ୫୦୬,୫୦୩ ଏବଂ ୩୮୪ରେ ମାମଲା ପଞ୍ଜୀକୃତ କରାଯାଇପାରିବ । ତେବେ ଭାରତରେ ଡିପ୍ଫେକ ପାଇଁ କୌଣସି ଅଲଗା ନିୟମ ନାହିଁ । କିନ୍ତୁ ଆମେରିକା ଭଳି କେତେକ ଦେଶ ଡିପ୍ଫେକ ପାଇଁ ଆଇନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି । କେବେ ଫେକ୍ ଭିଡିଓରୁ ମିଳିବ ନିସ୍ତାର । ନାଁ ଆଗକୁ ବଢିଚାଲିବ ଏହା । କଣ ଆଗକୁ ଆସିବ କି କଡା ନିୟମ । ଅପେକ୍ଷା ନିଷ୍ପତ୍ତିକୁ…
You Can Read: