ନୂଆଦିଲ୍ଲୀ ୨୭।୦୯: ପୁଣି ଚିନ୍ତା ବଢାଇଲା ଡ୍ରାଗନ । ସଫଳ ପରୀକ୍ଷଣ କଲା ICBM DF-41 କ୍ଷେପଣାସ୍ତ୍ର । ଦୀର୍ଘ ୪୪ ବର୍ଷ ପରେ ଏହି ପରୀକ୍ଷଣ କରିଛି ଚୀନ । ଏବେ ଏହାକୁ ନେଇ ଚିନ୍ତାରେ ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା । ଏମିତିକି ଭାରତକୁ ମଧ୍ୟ ଘାରିଛି ଚିନ୍ତା । ତେବେ କଣ ଏହି ଚୀନ୍ର DF-41 କ୍ଷେପଣାସ୍ତ୍ର କ’ଣ? କାହିଁକି ଟେନସନରେ ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା।
DF-41 କ୍ଷେପଣାସ୍ତ୍ର ହେଉଛି ଏକ ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର । ୪୪ ବର୍ଷ ପରେ ଆଇସିବିଏମ୍ କ୍ଷେପଣାସ୍ତ୍ରର ଫୁଲ୍ ରେଞ୍ଜ ଟେଷ୍ଟ କରିଛି ଚୀନ । କୁହାଯାଉଛି କି DF-41 କ୍ଷେପଣାସ୍ତ୍ରର ରେଞ୍ଜ ୧୨ ହଜାରରୁ ୧୫ ହଜାର କିଲୋମିଟର ରହିଛି । ଅର୍ଥାତ୍ ଆମେରିକାର ଅନେକ ବଡ ସହର ସହଜରେ ଏହି ମିସାଇଲର ରାଡାର ଆସିପାରେ । ଚୀନ୍ DF-41 କ୍ଷେପଣାସ୍ତ୍ରରେ ଏକାସହିତ ୩-୮ଟି ଟାର୍ଗେଟକୁ ଆକ୍ରମଣ କରିପାରିବ । ଏହି କ୍ଷେପଣାସ୍ତ୍ରର ଓଜନ ୮୦ ହଜାର କିଲୋଗ୍ରାମ ଏବଂ ଲମ୍ବ ୭୨ ଫୁଟ । ଏଥିରେ ୧୫୦ କିଲୋ ଟନର ୧୦ଟି ୱାରହେଡ୍ ଫିଟ୍ ହୋଇପାରିବ ।
ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ICBM କ୍ଷେପଣାସ୍ତ୍ରର ଫୁଲ ରେଞ୍ଜ ଟେଷ୍ଟ ୨୫ ସେପ୍ଟେମ୍ବର ସକାଳ ୮:୪୫ରେ କରାଯାଇଥିଲା । ଯାହାକି ୧୨ ହଜାର ଦୂରତା ଅତିକ୍ରମ କରିବା ପରେ ପ୍ରଶାନ୍ତ ମହାସାଗରରେ ପଡିଛି । ଏହାପୂର୍ବରୁ ଚାଇନା ୧୯୮୦ ଦଶକରେ ICBM ପରୀକ୍ଷା କରିଥିଲା, ଯାହାର ମୋଟ ରେଞ୍ଜ ରହିଥିଲା ୯ହଜାର କିଲୋମିଟର । ଏଥିସହିତ ନିକଟରେ ହୋଇଥିବା ଏହି ପରୀକ୍ଷଣରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ବାର୍ଷିକ ନିୟମିତ ପରୀକ୍ଷା ଅଭ୍ୟାସ। ଏହା କୌଣସି ଦେଶକୁ ଟାର୍ଗେଟ କରିବା ଲାଗି ନିର୍ମିତ ହୋଇନାହିଁ।
ଅନ୍ୟପଟେ ଚୀନ୍ର ICBM ଟେଷ୍ଟ ଲଞ୍ଚରେ ଚିନ୍ତା ପ୍ରକଟ କରିଛନ୍ତି ଜାପାନ ଏବଂ ଅଷ୍ଟ୍ରେଲିଆ । ଦେଶଗୁଡିକ କହିଛନ୍ତି ଯେ ପୂର୍ବରୁ ଚୀନ ଏପରି କ୍ଷେପଣାସ୍ତ୍ରକୁ ଅନେକ ଥର ଗୋପନୀୟ ଭାବେ ପରୀକ୍ଷା କରିସାରିଛି । ଏହାବ୍ୟତୀତ ଚୀନ୍ର ଏହି ପଦକ୍ଷେପ ଆମେରିକାକୁ ଦେଇଛି ଟେନସନ । ତାଇୱାନକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ICBM ପରୀକ୍ଷା ଲଞ୍ଚ ହେଉଛି ଏକ ସତର୍କ ଘଣ୍ଟି ।
ଜୁଲାଇରେ ଚୀନ୍ ଆମେରିକା ସହିତ ଆଣବିକ ଅସ୍ତ୍ର ସମ୍ପର୍କରେ ଆଲୋଚନାକୁ ସ୍ଥଗିତ ରଖିଥିଲା। ଆମେରିକା ତାଇୱାନକୁ ଅସ୍ତ୍ର ଯୋଗାଇବା ପରେ ଚୀନ୍ ଏହି ପଦକ୍ଷେପ ନେଇଛି । ଚୀନ ପାଖରେ ଏବେ ୫୦୦ ପରମାଣୁ କ୍ଷେପଣାସ୍ତ୍ର ରହିଛି। ଏଥିରୁ ୩୫୦ଟି ହେଉଛି ଆଇସିବିଏମ୍। ଏହା ପାଖରେ ୧୦୦୦ରୁ ଅଧିକ ଯୁଦ୍ଧାସ୍ତ୍ର ରହିଛି। ଯାହା ଖୁବ୍ ଖତରନାକ ଅଟେ ।