ଆମେ ଛୁଟିକୁ ଉପଭୋଗ କରି ପାରୁକି… ଏହି ସମୟରେ କ’ଣ କରନ୍ତି SCର ଜଜ ? ବୁଝାଇ ଦେଲେ ସିଜେଆଇ ଚନ୍ଦ୍ରଚୂଡ
18/03/2023 at 7:08 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଜଜମାନେ ବର୍ଷକୁ ୨୦୦ ଦିନ କାମ କରନ୍ତି ଏବଂ ଛୁଟି ସମୟରେ କେସ୍ ବିଷୟରେ ଚିନ୍ତା କରନ୍ତି, ଆଇନ ବିଷୟରେ ପଢନ୍ତି, ଯାହା ସେମାନଙ୍କୁ ଶୁଣାଣି ସମୟରେ ବେଶ ସହାୟକ ହୋଇଥାଏ। ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୩ରେ ଶନିବାର ଏହା କହିଛନ୍ତି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ।
ଲୋକେ ଦେଖୁଛନ୍ତି ଆମେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୪ଟା ଯାଏଁ କୋର୍ଟରେ ବସୁଛୁ। ପ୍ରତ୍ୟେକ ଦିନ ୪୦ରୁ ୬୦ କେସ୍ ଉପରେ ବିଚାର କରୁଛୁ। ସୁପ୍ରିମକୋର୍ଟରେ ଏହି ସମୟରେ ଆମେ ଯେଉଁ କାମ କରୁ ତାର ଗୋଟିଏ ଅଂଶ କାମ ହିଁ କରିଥାଉ। ବାସ୍ତବରେ କୋର୍ଟରୁ ଫେରିବା ପରେ ପ୍ରକୃତ କାମ ତ ଘରେ କରିଥାଉ। ଆମେ ଘରେ ଅଧିକ ସମୟ କେସ୍କୁ ପଢୁ, ବୁଝୁ, ସମୀକ୍ଷା କରୁ ଏବଂ ବିଚାର ବିମର୍ଶ କରି ପରବର୍ତ୍ତୀ ଦିନ ରାୟ ଦେଉ। ତେଣୁ ଆମ ରାୟ ପ୍ରାୟ ସଂରକ୍ଷିତ ରହିଥାଏ। ଶନିବାର ଦିନ ସାଧାରଣତଃ ସୁପ୍ରିମକୋର୍ଟର ପ୍ରତ୍ୟେକ ଜଜ ବସି ଶୁଣାଣିର ଆବୃତ୍ତି କରନ୍ତି। ରବିବାର ସମସ୍ତେ ନିଜ ନିଜ ସ୍ଥାନରେ ରହି ସୋମବାରର ଶୁଣାଣି ପାଇଁ ପ୍ରସ୍ତୁତି କରନ୍ତି। ବିନା କିଛି ଆଶାରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରତ୍ୟେକ ଜଜ ସପ୍ତାହକୁ ସାତ ଦିନ କାମ କରିଥାନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଏହା ପରେ ପ୍ରଧାନ ବିଚାରପତି ଭାରତୀୟ ଉଚ୍ଚତମ ନ୍ୟାୟାଳୟ ଏବଂ ସମଗ୍ର ଦୁନିଆର ସର୍ବୋଚ୍ଚ ନ୍ୟାୟାଳୟ କେମିତି କାମ କରନ୍ତି ତାର ତୁଳନାତ୍ମକ ଚିତ୍ର ରଖିଥିଲେ। ଛୁଟି ଦିନରେ ଅନ୍ୟ ଦେଶର ସୁପ୍ରିମକୋର୍ଟର ଜଜ କଣ କରନ୍ତି ତାହା କହିଛନ୍ତି ସିଜେଆଇ। ଆମେରିକାର ସୁପ୍ରିମକୋର୍ଟର ଜଜ ମାସକୁ ଆଠରୁ ନଅ ଦିନ କୋର୍ଟରେ କାମ କରିଥାନ୍ତି। ଏହି ପରି ବର୍ଷକୁ ୮୦ ଦିନ କାମ କରିଥାନ୍ତି। ସେହିପରି ଅଷ୍ଟ୍ରେଲିଆ କୋର୍ଟ ମାସକୁ ଦୁଇ ସପ୍ତାହ କୋର୍ଟରେ ବସିଥାନ୍ତି ଏବଂ ବର୍ଷକୁ ୧୦୦ ଦିନକୁ କମ ସମୟ କାମ କରିଥାନ୍ତି। ସିଙ୍ଗାପୁର କୋର୍ଟ ବର୍ଷକୁ ୧୪୫ ଦିନ ଏବଂ ୟୁକେର ସୁପ୍ରିମକୋର୍ଟ ମଧ୍ୟ ସମାନ ୧୪୫ ଦିନ କାମ କରିଥାନ୍ତି। କିନ୍ତୁ ଭାରତର ସୁପ୍ରିମକୋର୍ଟ ପ୍ରତି ବର୍ଷ ପାଖାପାଖି ୨୦୦ ଦିନ କୋର୍ଟରେ କାମ କରିଥାନ୍ତି।
ଭାରତର ସୁପ୍ରିମକୋର୍ଟର ଜଜ ଛୁଟି ସମୟକୁ କେସ୍ର ଶୁଣାଣି ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି। ମାମଲା ପଢିବା, ବୁଝିବା ଏବଂ ସମୀକ୍ଷା କରିବାରେ ଛୁଟି ସମୟକୁ ନିୟୋଜିତ କରନ୍ତି। ଗତ ଛୁଟି ସମୟରେ ସେ ନିଜର ନ୍ୟାୟପାଳିକାର ପାଞ୍ଚ କ୍ଲର୍କଙ୍କ ସହିତ ବସି ମାମଲା ଉପରେ ଆଲୋଚନା କରିଥିଲେ। ସେମାନେ ସମସ୍ତ ନିର୍ଣ୍ଣୟ ବିଷୟରେ ମୋତେ ଅବଗତ କରାଇଥିଲେ।