କ’ଣ ପାଇଁ ଆତ୍ମହତ୍ୟା କଲେ ତୁନିଶା ଶର୍ମା? FIR ଖୋଲିଲା ରହସ୍ୟ
25/12/2022 at 3:09 PM

ମୁମ୍ବାଇ ୨୫।୧୨: ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଇହଲିଳା ସମ୍ବରଣ କରିଛନ୍ତି। ତେବେ ପଛେରେ ଛାଡି ଯାଇଛନ୍ତି ଅନେକ ଅସମାହିତ ପ୍ରଶ୍ନ। ମାତ୍ର ୨୦ ବର୍ଷର ଏତେ ସୁନ୍ଦର କଳାକାର ଆତ୍ମହତ୍ୟା କଲେ କାହିଁକି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ବ୍ୟଥିତ କରୁଛି। ଏବେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ କ୍ରମଶଃ ପର୍ଦ୍ଦା ହଟୁଛି। ତୁନିଶା ଶର୍ମା ସୁଇସାଇଡ ଖବର ସାମ୍ନାକୁ ଆସିବା ପରେ ପୋଲିସ ଏବେ ଆକ୍ସନ ମୋଡରେ। ମାମଲାର ତଦନ୍ତ ଜାରି ଥିବା ବେଳେ ଏଫଆଇଆର ସାମ୍ନାକୁ ଆସିଛି। ଏତଲା କପିରୁ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉପରୁ ପର୍ଦ୍ଦା ହଟୁଛି।
ଏତଲା ଅନୁସାରେ ତୁନିଶା ଶର୍ମା ତାଙ୍କ ସହ ଅଭିନେତା ଶିଜନ ଖାନଙ୍କ ସହ ରିଲେସନସିପ୍ରେ ଥିଲେ। ୧୫ ଦିନ ପୂର୍ବରୁ ତୁନିଶାଙ୍କ ସହ ଶିଜନଙ୍କ ବ୍ରେକଅପ ହୋଇଥିଲା। ଏଣୁ ତୁନିଶା ମାନସିକ ଅଶାନ୍ତି ମଧ୍ୟ ଦେଇ ଗତି କରୁଥିଲେ। ରିପୋର୍ଟରେ କୁହାଯାଇଛି ଯେ ତୁନିଶା ବ୍ରେକଅପ ଯୋଗୁ ମାନସିକ ଅବସାଦଗ୍ରସ୍ତ ହୋଇଥିଲେ। ଏହି କାରଣରୁ ଅଭିନେତ୍ରୀ ଆତ୍ମହତ୍ୟା ଭଳି ଏତେବଡ ପଦକ୍ଷେପ ନେଇଛନ୍ତି ବୋଲି ପୋଲିସ କହିଛି।

ଇତିମଧ୍ୟରେ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାରୁ ଶ୍ୱାସରୁଦ୍ଧ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ପୁଷ୍ଟି ହୋଇଛି। ତେବେ ତୁନିଶାଙ୍କ ଶରୀରରେ ଅନ୍ୟ କୌଣସି ଚିହ୍ନ ନଥିବା କୁହାଯାଇଛି। ତୁନିଶାଙ୍କ ମା ଶିଜନଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ମା ଶିଜନ ତାଙ୍କୁ ହଇରାଣ କରୁଥିବାରୁ ତୁନିଶା ଆତ୍ମହତ୍ୟା କରିଥିବା ତାଙ୍କ ଅଭିଯୋଗରେ କହିଛନ୍ତି।
ଘଟଣାକୁ ନେଇ ପୋଲିସ ଗତ ରାତ୍ରିରେ ଶିଜନ ଖାନଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରିଛି। ପୋଲିସ ଶିଜନଙ୍କ ବିରୋଧରେ ଆଇପିସିର ଧାରା ୩୦୬ (ଆତ୍ମହତ୍ୟା ଲାଗି ବାଧ୍ୟ କରିବା)ରେ ମୋକଦ୍ଦମା ରୁଜୁ କରିଥିବା ବେଳେ ମାମଲାରେ ଶିଜନଙ୍କୁ ପଚରା ଉଚରା କରିଛି। ରବିବାର ପୋଲିସ ଶିଜନଙ୍କୁ କୋର୍ଟରେ ହାଜର କରିଥିବା ବେଳେ ୪ ଦିନିଆ ପୋଲିସ ରିମାଣ୍ଡ ମଞ୍ଜୁର ହୋଇଛି। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ କଥା ତାହା ହେଉଛି ଶିଜନଙ୍କ ମେକଅପ ରୁମରେ ତୁନିଷା ଆତ୍ମହତ୍ୟା କରିଥିଲେ। ଶିଜନ ସୁଟିଂରୁ ଫେରିବା ପରେ ତାଙ୍କ ମେକଅପ ରୁମର କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ। କବାଟ ନ ଖୋଲିବାରୁ ସେ ତାକୁ ଭାଙ୍ଗି ଦେଇଥିଲେ। ମେକଅପ ରୁମରେ ତୁନିଷା ଗଳାରେ ଫାଶ ଲଗାଇ ବେହୋଶ ଝୁଲୁଥିବା ଦେଖା ଯାଇଥିଲା।

ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମ଼ୃତ ଘୋଷଣା କରିଥିଲେ। ତୁନିଶା ଜଣେ ସଫଳ ଅଭିନେତ୍ରୀ ଥିଲେ। ଇଣ୍ଡଷ୍ଟ୍ରିକୁ ସେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ପାଦ ଥାପିଥିବା ବେଳେ ସ୍ୱଳ୍ପ ବୟସରେ ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ତୁନିଶା ଟିଭି ସୋ ସମେତ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ବଲିଉଡ ଫିଲ୍ମ ଫିତୁର ଓ ବାରବାର ଦେଖୋରେ ୟଙ୍ଗ କାଟ୍ରିନା କୈଫଙ୍କ ଭୂମିକାରେ ଅଭିନୟ କରିଥିଲେ।