‘ଡେଲିଭରୀ ବୟଙ୍କ ସୁରକ୍ଷା ପାଇଁ କ’ଣ ସବୁ ସୁବିଧା କରିଛନ୍ତି, ତୁରନ୍ତ ଜଣାନ୍ତୁ’ : କେନ୍ଦ୍ର ସରକାର ଏବଂ କମ୍ପାନୀମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 13, 2021 IST

ନୂଆଦିଲ୍ଲୀ ୧୩/୧୨ : ଓଲା, ଉବର, ସ୍ବିଗି, ଜୋମାଟୋ । ଏଭଳି ଅନେକ ସଂସ୍ଥାରେ କାମ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଡେଲିଭରୀ ବୟ । କିନ୍ତୁ ସେମାନଙ୍କ ସାମାଜିକ ସୁରକ୍ଷାରେ କୌଣସି କମ୍ପାନୀ ସାଲିସ କରନ୍ତିନାହିଁ । ଏଥିପାଇଁ କଣ ଉପାୟ ରହିଛି ? କେନ୍ଦ୍ର ସରକାର ଏବଂ ବିଭିନ୍ନ କମ୍ପାନୀମାନଙ୍କ ଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ଏବଂ ଜଷ୍ଟିସ୍ ବିଆର୍‌ ଗଓ୍ବଇଙ୍କୁ ନେଇ ଗଠିତ ଖଣ୍ଡପୀଠ, ଇଣ୍ଡିଆନ୍ ଫେଡେରେସନ୍‌ ଅଫ୍‌ ଆପ୍‌ ବେସଡ୍‌ ଟ୍ରାନ୍ସପୋର୍ଟ ଓ୍ବାର୍କର୍ସ ପକ୍ଷରୁ ରୁଜୁ ହୋଇଥିବା ଯାଚିକା ଉପରେ ଶୁଣାଣିକରି ଜବାବ ମାଗିଛନ୍ତି । ସଂପୃକ୍ତ ସଂସ୍ଥା ଏବଂ କେନ୍ଦ୍ର ସରକାର ଉଭୟଙ୍କୁ ଏ ନେଇ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏହା ସହିତ ଆସନ୍ତା​‌ ଜାନୁୟାର ୨୦୨୨ରେ ଆସନ୍ତା ଶୁଣାଣି କରିବାକୁ କହିଛନ୍ତି କୋର୍ଟ ।

ସୁରକ୍ଷାକୁ ଦୃଷ୍ଟିରେ ରଖି ୨ ଜଣ ଓଲା ଡ୍ରାଇଭର ଜଗଦୀଶ ବାବୁ ଏବଂ କିଶୋର ଖାନ ମଧ୍ୟ କୋର୍ଟରେ ମାମଲା ଦାୟର କରିଥିଲେ । ଅଭିଯୋଗରେ ଏମାନେ ଦର୍ଶାଇଥିଲେ ଯେ, ଆମ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବୀମା, ମେଟରନିଟି ଲିଭ୍‌, ପେନସନ୍‌, ଓଲଡ୍‌ ଏଜ୍‌ ଆସିଷ୍ଟାଣ୍ଟ, ଦିବ୍ୟାଙ୍ଗ ସହାୟତା ଏବଂ କମ୍ପାନୀ ଖର୍ଚ୍ଚରେ ଭ୍ୟାକସିନ ଦିଆଯିବା ଭଳି ସୁବିଧା କରାଯାଉ । ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଇନ୍ଦିରା ସିଂହ କହିଛନ୍ତି, ‘ଆଜିକା ଦିନରେ ଏହିମାନେ ହିଁ କାମ କରୁଛନ୍ତି । ଖରା ବର୍ଷାରେ କାମ କରୁଛନ୍ତି । ରାସ୍ତାରେ ବୁଲିବୁଲି ଗ୍ରାହକଙ୍କ ପାଇଁ ଜିନିଷ ଯୋଗଉଛନ୍ତି । କଷ୍ଟ କରୁଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ପ୍ରାପ୍ୟ ମିଳୁନି । ତେଣୁ ଆମ ଦାବି ହେଉଛି ସେମାନଙ୍କୁ ଅସଂଗଠିତ କର୍ମଜୀବୀ ଘୋଷଣା କରାଯାଉ । ଏହା ସହିତ ସେମାନଙ୍କୁ ସାମାଜିକ ସୁବିଧାସୁଯୋଗ ଯୋଗାଇ ଦିଆଯାଉ । ସାମାଜିକ ସୁରକ୍ଷା ସମସ୍ତଙ୍କ ପାଇଁ ଜରୁରୀ । ତେଣୁ ଏମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉ ।’

ଏହାର ଶୁଣାଣି କରିବା ପରେ କୋର୍ଟ ସମସ୍ତ ଡେଲିଭରୀ କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କୁ ଏ ନେଇ କଣ ପଦକ୍ଷେପ ନେବେ ସେ ନେଇ ଜଣାଇବାକୁ ନିର୍ଦେଶାବଳୀ ଜାରି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.