ନୂଆଦିଲ୍ଲୀ 18/02 : ଇଲେକ୍ଟୋରାଲ୍ ବଣ୍ଡ୍ ବୈଧତାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଇଲେକ୍ଟୋରାଲ୍ ବଣ୍ଡ୍ ଅସାମ୍ବିଧାନିକ କହି ରୋକ୍ ଲଗାଇଲେ କୋର୍ଟ । ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତିଙ୍କ DY ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ଖଣ୍ଡପୀଠରେ ସିଜେଆଇଙ୍କ ସମେତ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗାଭାଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଅଛନ୍ତି।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ବେଶ୍ ଗୁରୁତ୍ବପୂର୍ଣ୍ଣ । ମାମଲାର ଶୁଣାଣି ବେଳେ ଆବେଦନକାରୀ ଓ ବିପକ୍ଷ ସର୍ବୋଚ୍ଚ ଅଦାଲତରେ ନିଜ ନିଜର ଦସ୍ତାବିଜ୍ ରଖିଥିଲେ । କୋର୍ଟ ଅକ୍ଟୋବର ୩୧ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ଯୁକ୍ତି ସବୁକୁ ଗମ୍ଭୀରତାର ସହ ଶୁଣିବା ସହିତ ରାୟକୁ ସଂରକ୍ଷିତ ରଖିଥିଲେ। ମାମଲାର ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ଯୋଜନାରେ ରହିଛି ଦୋଷ ଦୁର୍ବଳତା। ଏହି ବଣ୍ଡ୍ ରେ ଅଜ୍ଞତା ଓ ଗୋପନୀୟତା ରହୁଛି । ଏହି ସୂଚନା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଉପଲବ୍ଧ ରହୁଛି ଏବଂ ତାଙ୍କ ପର୍ଯ୍ୟନ୍ତ ଯାଞ୍ଚ ଏଜେନ୍ସି ମଧ୍ୟ ପହଞ୍ଚି ପାରିବ । ସେପଟେ ୨୦୧୮ରୁ ଏଯାବତ ଦାଖଲ ହୋଇଥିବା ଇଲେକ୍ଟୋରାଲ ବଣ୍ଡ୍ ସଂପର୍କରେ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ କେଉଁ ଦଳକୁ କେତେ ନିର୍ବାଚନୀ ଅର୍ଥ ବା ଚାନ୍ଦା ମିଳୁଛି ତାହା ଭୋଟର ଜାଣିବା ଦରକାର ବୋଲି କୋର୍ଟ କହିଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "କଳା ଟଙ୍କା ରୋକିବା ଉଦ୍ଦେଶ୍ୟରେ ସୂଚନା ଅଧିକାରର ଉଲ୍ଲଂଘନ ଯଥାର୍ଥ ନୁହେଁ। ନିର୍ବାଚନ ବଣ୍ଡ୍ ଯୋଜନା ସୂଚନା ଏବଂ ସ୍ୱାଧୀନତା ଅଧିକାରର ଉଲ୍ଲଂଘନ । "
ତୁରନ୍ତ ନିର୍ବାଚନ ବଣ୍ଡ୍ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ନିର୍ଦ୍ଦେଶ ଜାରି କରି କୋର୍ଟ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ 31 ସୁଦ୍ଧା ନିର୍ବାଚନ ଆୟୋଗକୁ ନିର୍ବାଚନ ବଣ୍ଡ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ଅର୍ଥରାଶିର ସମସ୍ତ ବିବରଣୀ ପ୍ରଦାନ କରିବ । ଏପ୍ରିଲ 13 ସୁଦ୍ଧା ଏହାର ୱେବସାଇଟରେ ସୂଚନା ଉପଲବ୍ଧ କରାଇବାକୁ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
ନିର୍ବାଚନ ବଣ୍ଡ୍ କ’ଣ?
ଇଲେକ୍ଟୋରାଲ୍ ବଣ୍ଡ୍ ଯୋଜନା ଭାରତ ସରକାର 2017ରେ ଘୋଷଣା କରିଥିଲେ । ୨୦୧୮ ଜାନୁଆରା 2 ଆଇନଗତନ ଭାବରେ ଏହା କାର୍ଯ୍ୟକାରୀ ହୋଇଛି । ଏହାକୁ ସରଳ ଭାଷାରେ ବୁଝାଇଲେ ରାଜନୈତିକ ଦଳମାନଙ୍କୁ ଦାନ କରିବାର ଆର୍ଥିକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ୍। ଏହା ଏକ ପ୍ରତିଶ୍ରୁତି ନୋଟ୍ ପରି, ଯାହା ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଧିଷ୍ଟ ଶାଖାରୁ ବଣ୍ଡ୍ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନନୈତିକ ଦଳକୁ ଅଜ୍ଞାତ ଭାବରେ ଦାନ କରିପାରିବେ । ତେବେ ନିର୍ବାଚନୀ ବଣ୍ଡରେ ଦେୟକାରୀଙ୍କ ନାଁ ନଥାଏ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦିଷ୍ଟ ଶାଖାଗୁଡ଼ିକରୁ 1000ରୁ 1 କୋଟି ପର୍ଯ୍ୟନ୍ତ ଇଲେକ୍ଟରାଲ୍ ବଣ୍ଡ୍ କିଣି ପାରିବେ।
ଜନ ପ୍ରତିନିଧି ଆଇନ୍ ୧୯୫୧ର ଧାରା ୨୯(A) ଦ୍ବାରା ପଞ୍ଜିକୃତ ରାଜନୈତିକ ଦଳ ନିର୍ବାଚନୀ ବଣ୍ଡ୍ସ ସ୍ବୀକାର କରିପାରିବେ।ଏଥିରେ ସର୍ତ୍ତ କେବଳ ପୂର୍ବ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ସେହି ଦଳକୁ ଏକ ପ୍ରତିଶତ ଭୋଟ୍ ମିଳିଥିବା ଆବଶ୍ୟକ । ନିର୍ବାଚନୀ ବଣ୍ଡର ଭ୍ୟାଲିଡିଟି ମାତ୍ର 15 ଦିନ, ଯେଉଁଥିରେ ସେଗୁଡିକ କେବଳ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ରାଜନୈତିକ ଦଳମାନଙ୍କୁ ଦାନ ପାଇଁ ବ୍ୟବହାର କରାଯାଇପାରିବ । ଏହି ଯୋଜନା ଅନ୍ତର୍ଗତ ନିର୍ବାଚନ ବଣ୍ଡ୍ ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସରେ କ୍ରୟ ପାଇଁ ଉପଲବ୍ଧ । ଲୋକସଭା ନିର୍ବାଚନ ବର୍ଷରେ କେନ୍ଦ୍ର ସରକାରଙ୍କୁ ସୂଚିତ କରାଯାଇଥିବା 30 ଦିନର ଅତିରିକ୍ତ ଅବଧି ମଧ୍ୟରେ ଏଗୁଡିକ ମଧ୍ୟ ଜାରି କରାଯାଇପାରେ ।
Also Read- ମହାକାଶରେ ହେବ ମହାଯୁଦ୍ଧ; ହ୍ବାଇଟ୍ ହାଉସ୍ ଦାବି, ରୁଷ୍ ବିକଶିତ କରୁଛି ଆଣ୍ଟି ସାଟେଲାଇଟ୍ ଅସ୍ତ୍ର
ନିର୍ବାଚନ ବଣ୍ଡକୁ ନେଇ ବିବାଦ କାହିଁକି?
କଂଗ୍ରେସ ନେତା ଜୟା ଠାକୁର, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଏବଂ ଏନଜିଓ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ନିର୍ବାଚନୀ ବଣ୍ଡ୍ ବିରୋଧରେ କରିଥିଲେ ଆବେଦନ । ଆବେଦନକାରୀଙ୍କ ଅନୁସାରେ, ନିର୍ବାଚନ ବଣ୍ଡ୍ ଯୋଗୁଁ ସ୍ୱଚ୍ଛତା ପ୍ରଭାବିତ ହେଉଛି ଏବଂ ଏହା ମଧ୍ୟ ସୂଚନା ଅଧିକାରର ଉଲ୍ଲଂଘନ କରୁଛି ।