ବିପଦରେ ଦୁନିଆର ସବୁଠୁ ବଡ଼ ଜଳଜୀବ: ବ୍ଲୁ ହ୍ବେଲ୍‌କୁ ନେଇ ସତର୍କ କରାଇଲେ ବୈଜ୍ଞାନିକ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ, ୦୪/୧୧: ବ୍ଲୁ ହ୍ବେଲକୁ ଦୁନିଆର ସବୁଠୁ ବଡ଼ ଜୀବ ବୋଲି କୁହାଯାଏ। କିନ୍ତୁ ଏବେ ଏହାର ଜୀବନ ବିପଦରେ । ଦୁନିଆର ସବୁଠୁ ବଡ଼ ମାଛ ବ୍ଲୁ ହ୍ବେଲ ବା ତିମି ମାଛ ଏବେ ବିପଦରେ । ତିମି ମାଛକୁ ନେଇ ନିକଟରେ ହୋଇଥିବା ରିସର୍ଚ୍ଚରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିସର୍ଚ୍ଚରେ ବୈଜ୍ଞାନିକମାନେ ତିମିର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହାର କାରଣ ହେଉଛି ମନୁଷ୍ୟ। ତେବେ ଆସନ୍ତୁ ଜାଣିବା କ’ଣ କହୁଛି ରିସର୍ଚ୍ଚ।

ନେଚର କମ୍ୟୁନିକେସନ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ବ୍ଲୁ ହ୍ବେଲ ପ୍ରତିଦିନ ୧ କୋଟି ତଥା ୪୩.୫ କେଜିର ମାଇକ୍ରୋପ୍ଲାଷ୍ଟିକ୍ ଖାଉଛନ୍ତି । ଗବେଷକ ତଥା ଷ୍ଟାନଫୋର୍ଡ ୟୁନିଭର୍ସିଟିର ସମୁଦ୍ର ଜୀବବିଜ୍ଞାନୀ ମ୍ୟାଥୁ ସାବୋକଙ୍କ କହିବା ଅନୁଯାୟୀ, ଯଦି ଏମାନେ ଏଭଳି ସ୍ଥାନରେ ରୁହନ୍ତି ଯେଉଁଠାରେ ପ୍ଲାଷ୍ଟିକ୍ ମାତ୍ରା ଅଧିକ କିମ୍ବା ଭବିଷ୍ୟତରେ ପ୍ଲାଷ୍ଟିକ୍ ଆବର୍ଜନା ବଢ଼ୁଛି ତେବେ ପ୍ରତିଦିନ ଏମାନଙ୍କ ଶରୀରରେ ୧୫ କୋଟି ମାଇକ୍ରୋପ୍ଲାଷ୍ଟିକ୍ ପହଞ୍ଚିପାରେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏମାନଙ୍କ ଶରୀରରେ ଏହି ମାଇକ୍ରୋପ୍ଲାଷ୍ଟିକ୍ ଦୁଇଟି ଉପାୟରେ ପହଞ୍ଚୁଛି। ପ୍ରଥମେ ସିଧାସଳଖ ଏବଂ ଅନ୍ୟଟି ଏହାର ଶିକାର ଦ୍ବାରା । ୯୯ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ୍ ଶିକାର ଦ୍ବାରା ଏମାନଙ୍କ ଶରୀରରେ ପ୍ରବେଶ କରୁଛନ୍ତି । ଗବେଷକ ଏହି ରିସର୍ଚ୍ଚ କାଲିଫର୍ଣ୍ଣିଆର ଉପକୂଳ ଅଞ୍ଚଳରେ କରିଥିଲେ। କାଲିଫର୍ଣ୍ଣିଆର ଉପକୂଳ କ୍ଷେତ୍ରରେ ଏହି ସ୍ଥିତି ରହିଛି। ଦୁନିଆର ଅନେକ ଅଞ୍ଚଳରେ ଏହାଠାରୁ ଅଧିକ ପ୍ରଦୂଷିତ ରହିଛି ବୋଲି କହିଛନ୍ତି ଗବେଷକ।

ବୈଜ୍ଞାନିକମାନେ ରିସର୍ଚ୍ଚ ପାଇଁ ୧୨୬ ବ୍ଲୁ ହ୍ବେଲ୍, ୬୫ ହମ୍ପବ୍ୟାକ୍ ହ୍ବେଲ ଏବଂ ୨୯ ଫିନ୍ ହ୍ବେଲ୍‌ଙ୍କ ଉପରେ ଗବେଷଣା କରିଥିଲେ। ଏମାନଙ୍କ ଶରୀରରେ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ଡିଭାଇସ୍ ଲଗାଯାଇଥିଲା। ଏହା ସହ ମାଇକ୍ରୋଫୋନ୍, କ୍ୟାମେରା, ଜିପିଏସ ଲୋକେଟର ଭଳି ଡିଭାଇସ ଲଗାଇଥିଲେ ଯାହାଦ୍ବାରା ଏମାନଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ।

ରିସର୍ଚ୍ଚରେ ସାମ୍ନାକୁ ଆସିଥିଲା ଯେ ବ୍ଲୁ ହ୍ବେଲ୍ ଗଭୀର ସମୁଦ୍ରରେ ଏହାର ଖାଦ୍ୟ ଗ୍ରହଣ କରିଥାଏ। ସମୁଦ୍ରରେ ୧୬୫-୮୨୦ ଫୁଟ୍ ତଳକୁ ଯାଇ ଏମାନେ ଭୋଜନ କରିଥାନ୍ତି । ଏହି କାରଣରୁ ଏହାର ଶରୀରରେ ମାଇକ୍ରୋପ୍ଳାଷ୍ଟିକ୍ ପହଞ୍ଚିଥାଏ। ଏଥିରେ ଏଭଳି କେମିକାଲ ଅଛି ଯାହା ଏମାନଙ୍କୁ ଅସୁବିଧାରେ ପକାଇପାରେ । ଯାହା ଭବିଷ୍ୟତରେ ଏମାନଙ୍କର ଜୀବନ ପ୍ରତି ବିପଦ ବଢ଼ାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.