ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ : ମା ସମଲେଇଙ୍କ ପାଖରେ ନବାନ୍ନ ଲାଗି

Published By : Prameya-News7 Bureau | September 14, 2018 IST

ସମ୍ବଲପୁର ୧୪/୯ : ଆଜି ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇ । ସବୁଠି ଉସତ୍‌ ଆନନ୍ଦ, ମହୋତ୍ସବର ମାହୋଲ୍‌ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆଜି ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ପଶ୍ଚିମଓଡିଶାର ଆରାଧ୍ୟ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି କରାଯାଇଛି । ପରେ ପଶ୍ଚିମଓଡିଶାର ସମସ୍ତ ଲୋକମାନେ ନୂଆଖାଇବେ। ଗାଁ ଗାଁରେ ସାଙ୍ଗସଙ୍ଗାତଙ୍କ ଘରକୁ ନୂଆଭାର ଯିବା ସହ ନୂଆ ସରିଆଧାନରୁ ଚାଉଳ ପ୍ରସ୍ତୁତ କରି ସୁସ୍ବାଦ ପାକ ରୋଷେଇରେ ସମସ୍ତେ ବ୍ୟସ୍ତ ଆଉ ଅପେକ୍ଷା ମାଆ ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପରେ,ଘରର ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯାଇଛି ।ମାଆଙ୍କ ମହାସ୍ନାନ ପରେ ଅବକାଶ ଓ ମଇଲମ ନିତୀ ପରେ ସରିଆ ଚାଉଳରୁ ପ୍ରସ୍ତୁତ ଚୁଡା,ଖିରୀ ଓ କାକରା ପିଠା ଭୋଗ ଲାଗି କରାଯାଇଛି । ମୁଖ୍ୟ ଗମ୍ଭୀରା ଭିତରେ ମାଆଙ୍କୁ ନବାନ୍ନ ଲାଗି ପରେ, ମନ୍ଦିର ବେଢାରେ ଥିବା ୧୧୫ଟି ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ କୁରେଇ ପତ୍ରରେ ନବାନ୍ନ ଲାଗି କରାଯିବ। ଏହାପରେ ସାଧାରଣ ଭକ୍ତମାନେ ଆଣିଥିବା ଭୋଗ ଲାଗି କରାଯିବ। ଏହାପରେ ମହାଆଳତୀ କରାଯାଇ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଭିତରକୁ ଛଡାଯିବ। ସକାଳୁ ସକାଳୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ସାରିଲେଣି। ଅପେକ୍ଷା ସେହି ବ୍ରାହ୍ମମୁହୂର୍ତ୍ତକୁ ଯେତେବେଳେ ମାଆଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ,ପଶ୍ଚିମଓଡିଶାର ୧୦ଟି ଜିଲ୍ଲାର ଦେଢକୋଟି ଲୋକଙ୍କ ସମେତ,ପଡୋଶୀ ଛତିଶଗଡର ଅନେକ ଲୋକ ଏକାସଙ୍ଗରେ ନବାନ୍ନ ଖାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.