ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧର ଯୋଜନା କରୁଛନ୍ତି ପୁଟିନ! ଭୟରେ ପାଶ୍ଚାତ୍ୟ ନେତା

Published By : Prameya-News7 Bureau | September 29, 2022 IST

କିଭ ୨୯।୯: ୟୁକ୍ରେନରେ ଜାରି ଭୀଷଣ ଯୁଦ୍ଧରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ନେଇ ପାଶ୍ଚାତ୍ୟ ଦେଶଙ୍କ ନେତାମାନେ ଏବେ ଆତଙ୍କରେ। ପୁଟିନ ହୁଏତ ୟୁକ୍ରେନ ଯୁଦ୍ଧର ପରିଣାମ ବଦଳାଇବାକୁ ପରମାଣୁ ଅସ୍ତ୍ରର ଉପଯୋଗ କରିପାରନ୍ତି ନଚେତ ଇୟୁରୋପୀୟ ହିତକୁ ବାଧା ଦେବା ଭଳି କୌଣସି ବଡଧରଣର ଆକ୍ରମଣ କରିପାରନ୍ତି ବୋଲି ପାଶ୍ଚାତ୍ୟ ନେତାମାନେ ଆଶଙ୍କା କରୁଛନ୍ତି। ବ୍ରିଟେନ ଓ ଆମେରିକୀୟ ଗୁଇନ୍ଦା ଅନୁସାରେ ପୁଟିନ ଏବେ ଏପରି ଏକ ଆକ୍ରମଣ କରିବା ଯୋଜନାରେ ଅଛନ୍ତି ଯାହା ଯୁଦ୍ଧର ନକ୍ସା ବଦଳାଇ ଦେବ।

ଡେଲିମେଲ ରିପୋର୍ଟ ଅନୁସାରେ ଆମେରିକା ନିଜ ନାଗରିକଙ୍କୁ ଋଷିଆ ଛାଡିଦେବାକୁ କହିଥିବା ବେଳେ ପାଶ୍ଚାତ୍ୟ ଦେଶଙ୍କ ଗୁଇନ୍ଦା ଏହି ଚେତାବନୀ ଦେଇଛନ୍ତି। ଦୈତ ନାଗରିକତା ରଖୁଥିବା ଲୋକଙ୍କୁ ହୁଏତ ଋଷିୟା ୟୁକ୍ରେନ ଯୁଦ୍ଧରେ ଲଢେଇପାରେ ବୋଲି ମଧ୍ୟ ଏବେ ଆମେରିକା ଆଶଙ୍କା କରୁଛି। ଏଥିରେ ଋଷିଆ ହୁଏତ ଲୋକଙ୍କ ଦୋହରା ନାଗରିକତାକୁ ମାନିବାକୁ ଅସ୍ୱୀକାର କରିପାରେ ବୋଲି ଆମେରିକୀୟ ଦୂତାବାସ କହିଛନ୍ତି। ଏପରି ଲୋକଙ୍କୁ ହୁଏତ ଋଷିଆ କନସୁଲାର ସହାୟତା ମଧ୍ୟ ଦେଇ ନପାରେ। କେବଳ ଏତିକି ନୁହେଁ ଏପରି ଲୋକଙ୍କ ଋଷିଆ ଛାଡିବା ଉପରେ ମଧ୍ୟ ସରକାର କଟକଣା ଲଗାଇ ପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି।

{"id":689993,"sizeSlug":"large","linkDestination":"none"}

ଋଷିଆ ସେନା ସୀମାକୁ ସିଲ କରୁଥିବା ବେଳେ ବର୍ତ୍ତମାନ ସମୟରେ ବିମାନରେ ଋଷିଆ ଛାଡିବା ମଧ୍ୟ କଷ୍ଟକର ହୋଇପଡିଛି ବୋଲି ଆମେରିକା ଦୂତାବାସ କହିଛନ୍ତି।  ସେପଟେ ୟୁକ୍ରେନରେ ଋଷିଆ ପକ୍ଷରୁ କରାଯାଇଥିବା ଜନମତ ଭୋଟରେ ଜନତା କଥିତ ରୂପେ ମସ୍କୋକୁ ସମର୍ଥନ କରିଛନ୍ତି। ଏବେ ମନେ କରାଯାଉଛି ଋଷିଆ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଦେଶରେ ମିଶାଇ ଦେଇପାରେ। ଏହି ୪ ଅଞ୍ଚଳ ମୋଟ ୟୁକ୍ରେନର ୧୫ ପ୍ରତିଶତ। ଏଣୁ ୟୁକ୍ରେନ ସେନା ଲୟମନରେ ଋଷିଆ ସେନାକୁ ଘେରିବା ଆରମ୍ଭ କରିଦେଇଛି।

ୟୁକ୍ରେନର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଦେଖି ପଶ୍ଚିମ ଦେଶମାନେ ଏବେ ଭୟଭୀତ ହୋଇପଡିଛନ୍ତି। ହୁଏତ ଏହାର ଜବାବ ଦେବାକୁ ଯାଇ ଋଷିଆ ପରମାଣୁ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛନ୍ତି। ୟୁକ୍ରେନ ସେନାଙ୍କୁ ଅଟକାଇବା ପାଇଁ ଋଷିଆ ରେଡିଏସନ ଜୋନ ବନେଇପାରେ। ଏହାଛଡା ଋଷିଆ ସମୁଦ୍ର ତଳେ ବିଛା ଯାଇଥିବା ଇଣ୍ଟରନେଟ୍ କେବୁଲକୁ ମଧ୍ୟ କାଟିଦେଇପାରେ ବୋଲି ଆଶଙ୍କା କରାଯାଉଛି। ଋଷିଆ ଏପରି ଯାହାବି କଲେ ପାଶ୍ଚାତ୍ୟ ଦେଶଙ୍କ ଉପରେ ଗୁରୁତର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.