ଗ୍ରୀଷ୍ମ ଲହରରେ ଅସ୍ତବ୍ୟସ୍ତ ପଶ୍ଚିମ ଓ ଦକ୍ଷିଣ ଭାରତ, ପାଣିପାଗ ବିଜ୍ଞାନୀ କହିଲେ ‘ମେଡେନ ଜୁଲିୟାନ ଓସିଲେସନ’ର ପ୍ରଭାବ

Published By : Prameya-News7 Bureau | March 19, 2022 IST

ନୂଆଦିଲ୍ଲୀ ୧୯।୩: ଉତ୍ତର-ପଶ୍ଚିମ ସମତଳରେ ଅଧିକାଂଶ ଅଞ୍ଚଳର ତାପମାତ୍ରା ଏବେ ସାଧାରଣରୁ ସାମାନ୍ୟ ଅଧିକ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଏତେଟା ଗ୍ରୀଷ୍ମ ଅନୁଭୂତ ହୋଇ ନଥିଲେ ମଧ୍ୟ ପଶ୍ଚିମ ଭାରତର ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ଭାରତର ମଧ୍ୟପ୍ରଦେଶ ଓ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଗ୍ରୀଷ୍ମ ଲହର ବଢ଼ିବଢ଼ି ଚାଲିଛି। ଏଣୁ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଲାଗି ଏପର୍ଯ୍ୟନ୍ତ ଲୁ ସତର୍କତା ଜାରି ହୋଇ ନାହିଁ।

ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରି ସେଲସିୟସ୍‌ରୁ ଉପରକୁ ଚଢ଼ି ନାହିଁ। ସେହିପରି ରାତିର ତାପମାତ୍ରାରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଉଛି। ଏଣୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନର ଆଶଙ୍କା କରାଯାଉ ନଥିବା ବେଳେ ପଶ୍ଚିମ ଭାରତରେ ପରିସ୍ଥିତି କିନ୍ତୁ ଆରମ୍ଭରୁ ଅସହନୀୟ ହେବାରେ ଲାଗିଲାଣି।  

{"id":602390,"sizeSlug":"full","linkDestination":"none"}

ଜୟସାଲମେର, ଚୁରୁ, ବିକାନେର, ବାଡମେର ଓ ପିଲାନୀ ସମେତ ପଶ୍ଚିମ ରାଜସ୍ଥାନର ଅଧିକାଂଶ ଅଞ୍ଚଳ ସାଙ୍ଗକୁ ଉତ୍ତର ଗୁଜରାଟ, ସୌରାଷ୍ଟ୍ର-କଚ୍ଛ, ବିଦର୍ବ, ପଶ୍ଚିମ ମଧ୍ୟପ୍ରଦେଶ ଓ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସକୁ ଛୁଇଁଲାଣି। ମାର୍ଚ୍ଚ ମାସ ପରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସ୍ପଷ୍ଟ ଥିଲେ। ହେଲେ ମଝି ମାର୍ଚ୍ଚରୁ ଗ୍ରୀଷ୍ମ ଲହର ବାସ୍ତବିକ ଚିନ୍ତାଜନକ ହୋଇଛି। ତେବେ ଏଥିରୁ ଭାରତର ମଧ୍ୟଭାଗରେ ଏକ ଆଣ୍ଟି ସାଇକ୍ଲୋନ ପ୍ରଣାଳୀ ବିକଶିତ ହୋଇଥିବାର ବୈଜ୍ଞାନିକ ଏବେ ଅନୁମାନ କରୁଛନ୍ତି।

{"id":602391,"width":841,"height":574,"sizeSlug":"full","linkDestination":"none"}

ପ୍ରାୟତଃ ଏପରି ପାଣିପାଗ ମାର୍ଚ୍ଚ ଆରମ୍ଭରେ ବାୟୁଣ୍ଡଳର ଉପରିଭାଗରେ ସୃଷ୍ଟି ହୋଇଥାଏ। ଯାହା ବାୟୁର ପାଟର୍ଣ୍ଣକୁ ବଦଳାଏ। ଏଥିଯୋଗୁ ବାୟୁ ନିମ୍ନଗାମୀ ହେବା କାରଣରୁ ଉଷ୍ମତା ବୃଦ୍ଧି ପାଏ।  ତେବେ ଏଥର ଉପକୂଳ କ୍ଷେତ୍ରରେ ଗ୍ରୀଷ୍ମ ଲହର ଲୋକଙ୍କୁ ଚକିତ କରିଛି। ଏହାର ଉଦାହରଣ ରୂପେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଗ୍ରହଣ କରାଯାଇପାରେ। ଏଠାରେ ଗତ କିଛି ଦିନ ହେଲା ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସରୁ ଉପରେ ରହୁଛି। ଏଥିପାଇଁ ବୈଜ୍ଞାନିକମାନେ ଏବେ ପୂର୍ବା ବାୟୁର ପ୍ରାଧାନ୍ୟକୁ ଦାୟୀ କରୁଥିବା ବେଳେ ଏହା ମେଡେନ ଜୁଲିୟାନ ଓସିଲେସନ (ଏମଜେଓ)ର ପ୍ରଭାବ ଯୋଗୁ ହେଉଥିବା କହିଛନ୍ତି। ତେବେ ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଆଗମନୀର ଏହା ସୂଚନା ବୋଲି ଏବେଠୁ ଧରିନେବାକୁ ହେବବୋଲି ସେମାନେ ସୂଚିତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.