କୋଲକାତା, ୧୪/୦୯: ପଶ୍ଚିମବଙ୍ଗ ସରକାରରେ ଦବଙ୍ଗ ମନ୍ତ୍ରୀ । ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ପରେ ଇଡି ପକ୍ଷରୁ ତଲବ୍ ହୋଇଥିବା ହାଜିରା ନୋଟିସ୍କୁ ସିଧା ସିଧା ପ୍ରତ୍ୟାଖ୍ୟାନ କଲେ ମମତାଙ୍କ ମନ୍ତ୍ରୀ ।
ବେଙ୍ଗଲର ଆଇନ୍ ମନ୍ତ୍ରୀ ମଳୟ ଘଟକଙ୍କୁ କିଛିଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ କୋଇଲା ଘୋଟାଲା ଏବଂ ମନି ଲଣ୍ଡ୍ରିଂ ମାମଲରେ ପଚରାଉଚରା ପାଇଁ ନୋଟିସ୍ କରାଯାଇଥିଲା । ଯାହାର ଜବାବ ଦେଇ ସେ ଇଡିକୁ ସୂଚିତ କରିଛନ୍ତି ଯେ, ମଙ୍ଗଳବାର ନୂଆଦିଲ୍ଲୀ ଇଡି କାର୍ଯ୍ୟାଳୟରେ ସେ ହାଜର ହୋଇପାରିବେ ନାହିଁ । ଯଦି ଇଡିର ଅଫିସରମାନେ ଚାହିଁବେ ତେବେ ସେମାନେ କୋଲକାତା ଆସି ପଚାରି ପାରିବେ ବୋଲି ସେ କହିଛନ୍ତି । ନଚେତ୍ ଭିଡିଓ କନ୍ଫରେସିଂ ଜରିଆରେ ସେ ହାଜର ହେବେ ବୋଲି ଇଡିକୁ କହିଛନ୍ତି ।
ଇଡିର ସୂଚନା ମୁତାବକ,ପଶ୍ଚିମବଙ୍ଗ ଆଇନ୍ ମନ୍ତ୍ରୀ ଏଜେନ୍ସିକୁ ଚିଠି ଲେଖି କହିଛନ୍ତି ଯେ, ଏତେ କମ୍ ସମୟ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏଥିପାଇଁ ବିକଳ୍ପ ଭାବେ ସେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୟାନ ଦେବାକୁ ପ୍ରସ୍ତାବ ରଖିଛନ୍ତି । ତାଙ୍କୁ ୧୦ ତାରିଖରେ ନୋଟିସ୍ ମିଳିଥିଲା । ହେଲେ ଦୁଇ ଦିନ ଛୁଟି ଥିଲା ଏବଂ ୧୩ ସେପ୍ଟେମ୍ୱରକୁ କ୍ୟାବିନେଟ୍ ବୈଠକ ହୋଇଥିଲା । ତେଣୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତ ହୋଇପାରିନଥିବା ସେ ଜଣାଇଥିଲେ ।