ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା, ଫେରିଲେ ଅଲରାଉଣ୍ଡର ହୋଲ୍ଡର

Published By : Prameya-News7 Bureau | July 18, 2022 IST

ନୂଆଦିଲ୍ଲୀ ୧୮/୦୭: ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି ।  

ଦଳକୁ ଷ୍ଟାର୍ ଅଲରାଉଣ୍ଡର ଜ୍ୟାସନ୍ ହୋଲ୍ଡର୍ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ବାଂଲାଦେଶ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଏହି ସିରିଜକୁ ବାଂଲାଦେଶ ୩-୦ରେ କ୍ଲିନ୍ ସ୍ୱିପ୍ କରିନେଇଥିଲା ।

ସେହିପରି ଇଣ୍ଡିଜ ଦଳର ନେତୃତ୍ୱ ଭାର ନିକୋଲାସ ପୁରନଙ୍କ ହାତରେ ରହିଛି । ସେହିପରି ସାଇ ହୋପଙ୍କୁ ଉପଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡିବ । ଏତତ୍ ବ୍ୟତୀତ ଅଲଜାରୀ ଜୋସେଫ, ରୋବମ୍ୟାନ୍ ପାଓ୍ୱେଲ, ବ୍ରାଣ୍ଡନ୍ କିଙ୍ଗ୍ ଓ କାଇଲ ମେୟର୍ସଙ୍କୁ ଟିମରେ ସ୍ଥାନ ମିଳିଛି  ।

ଦିନିକିଆ ସିରିଜ୍ ପାଇଁ ଇଣ୍ଡିଜ ଟିମ୍

ନିକୋଲାସ ପୁରନ, ସାଇ ହୋପ, ଜ୍ୟାସନ ହୋଲ୍ଡର, ଶମର ବ୍ରୁକସ, କୋସୀ କାର୍ଟି, ରୋବମେନ୍ ପାଓ୍ୱେଲ, ଅଖିଲ ହୋସେନ, ଅଲଜାରୀ ଜୋସେଫ, ବ୍ରାଣ୍ଡନ୍ କିଙ୍ଗ, କାଇଲ ମେୟର୍ସ, ଗୁଡକେସ୍ ମୋତୀ, କିମୋ ପଲ୍ ଓ ଜାଇନ୍ ସିଲ୍ସ

ସୂଚନାଯୋଗ୍ୟ, ଭାରତ ଏହି ସିରିଜ୍ ପାଇଁ ପୂର୍ବରୁ ଦଳ ଘୋଷଣା କରି ସାରିଛି । ଏଥିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ ଓ ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ଭାରତର ନେତୃତ୍ୱ ଭାର ଶିଖର ଧାଓ୍ୱନଙ୍କୁ ଦିଆଯାଇଛି । ସେହିପରି ରବିନ୍ଦ୍ର ଜାଡେଜା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.