ସାଇ ହୋପ୍‌ଙ୍କ ଦମଦାର ଶତକ, ଭାରତକୁ ୩୧୨ ରନ ଟାର୍ଗେଟ୍ ଦେଲା ଓ୍ଵେଷ୍ଟଇଣ୍ଡିଜ

Published By : Prameya-News7 Bureau | July 24, 2022 IST

ତ୍ରିନିଦାଦ: ସାଇ ହୋପଙ୍କ ଶତକ ଏବଂ ନିକୋଲାସ ପୂରନଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆରେ ୬ ଓ୍ଵିକେଟ୍ ହରାଇ ୩୧୧ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୩୧୨ ରନର ବିଜୟ ଲକ୍ଷ୍ୟ ରହିଛି। ସାଇ ହୋପ୍ ୧୧୫  ରନର ଦମଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ନିକୋଲାସ ପୂରନ ୭୪ ରନ କରିଛନ୍ତି। ଶାର୍ଦ୍ଦୁଳ ଠାକୁର ୩ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ମ୍ୟାଚ୍ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ  ହାସଲ କରିଛି।

ଏହା ପୂର୍ବରୁ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନିଂରେ ସାଇ ହୋପ୍ ଏବଂ କାଇଲ ମେୟର୍ସ ୬୫ ରନ ଯୋଡି ଦଳକୁ ଦୃଢ ଆରମ୍ଭ ଦେଇଥିଲେ। ମେୟର୍ସ(୩୯ ରନ)ଙ୍କୁ ଆଉଟ୍ କରି ଦୀପକ ହୁଡ୍ଡା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପୁଣି ସାଇ ହୋପ୍ ଶାମରା ବ୍ରୁକ୍ସଙ୍କ ସହିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୨ ରନ ଯୋଡିଥିଲେ। ବ୍ରୁକ୍ସ ୩୫ ରନ କରିଥିଲେ।ବ୍ରାଣ୍ଡନ କିଙ୍ଗଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ ୟୁଜବେନ୍ଦ୍ର ଚହଲ।ଏହା ପରେ ସାଇ ହୋପ୍  ଏବଂ ଅଧିନାୟକ ନିକୋଲାସ ପୂରନ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡିଥିଲେ। ନିକୋଲାସ୍ ପୂରନଙ୍କୁ ଶାର୍ଦ୍ଦୁଳ ଠାକୁର ଆଉଟ୍ କରି ଏହି ଯୋଡିକୁ ଭାଙ୍ଗିଥିଲେ। ପୂରନ ୭୭ ବଲ୍‌ରୁ ୧ ଚୌକା ଏବଂ ୬ ଛକା ସହ ୭୪ ରନ କରିଥିଲେ। ଏହିକ୍ରମରେ ସାଇ ହୋପ୍ ୧୪ତମ ଶତକ ହାସଲ କରିଥିଲେ।

ରୋଭମ୍ୟାନ ପାଓ୍ଵେଲ(୧୩) ସଅଳ ଆଉଟ୍ ହୋଇଥିଲେ। ସାଇ ହୋପ୍‌ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ୧୩୫ ବଲରୁ ୮ ଚୌକା ଏବଂ ୩ ଛକା ଜରିଆରେ ୧୧୫ ରନ କରିଥିଲେ। ରୋମାରିଓ ସେଫାର୍ଡ ୧୧ ବଲରୁ ୧୫ ରନ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୪୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଦୀପକ ହୁଡ୍ଡା, ଅକ୍ଷର ପଟେଲ୍ ଏବଂ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.