୧୦୪ ରନରେ ଧରାଶାୟୀ ୱେଷ୍ଟଇଣ୍ଡିଜ : ରବୀନ୍ଦ୍ର ଜାଡେଜା ନେଲେ ୪ଟି ଉଇକେଟ

Published By : Prameya-News7 Bureau | November 01, 2018 IST

ଥିରୁଅନନ୍ତପୁରମ ୧/୧୧ : କେରଳର ଥିରୁଅନନ୍ତପୁରମ ଠାରେ ଭାରତ ଓ ବେସ୍ତଇଣ୍ଡିଜ ମଧ୍ୟରେ ଚାଲିଥିବା ଏକ ଦିବସୀୟ ଶୃଙ୍ଖଳାର ଶେଷ ତଥା ପଞ୍ଚମ ଦିନିକିଆରେ ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୦୪ ରନରେ ଅଲଆଉଟ ହୋଇଯାଇଛି | ଏକ ସହଜ ବିଜୟ ଲକ୍ଷ ନେଇ ଭାରତ ମୈଦାନକୁ ଓହ୍ଲାଇବ | ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ ଆଜି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା | ଓପନର କେ. ପାୱେଲ କୌଣସି ରନ ନକରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହେବାପରେ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା | ଆର.ପାୱେଲ ୩୯ ବଲରୁ ୧୬ ରନ କରିଥିବାବେଳେ ଖଲିଲ ଅହମଦଙ୍କ ଦ୍ୱାରା ଆଉଟ ହୋଇ ପାଭିଲିଆନ ଫେରିଯାଇଥିଲେ | ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଏସ.ହୋପ କୌଣସି ରନ ନକରି ଯଶପ୍ରୀତ ବୁମରାହାଙ୍କ ବଲରେ ବୋଲଡ ହୋଇଯାଇଥିଲେ | ଏମ.ସ୍ମୁଏଲ୍ସ ୩୮ ବଲରେ ୨୪ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ସେହିଭଳି ଏସ. ହେତମେୟର ୯ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ତାଙ୍କୁ ଏଲବିଡବ୍ଲ୍ୟୁ କରି ପାଭିଲିଆନ ପଠେଇଦେଇଥିଲେ | ୩୩ ବଲରେ ମାତ୍ର ୨୫ ରନ କରିଥିବା ଯେ. ହୋଲଡ଼ରଙ୍କୁ ଖାଲିଲ ଅହମଦ କ୍ୟାଚ ଆଉଟ କରିଥିଲେ | ସେହିଭଳି ୧୧ ବଲରୁ ୪ରନ କରିଥିବାବେଳେ ଏଫ.ଆଲେନ ଯଶପ୍ରୀତ ବୁମରାହାଙ୍କ ବଲରେ ଆଉଟ ହୋଇଥିଲେ | କେ. ପାଲ ୧୮ଟି ବଲରୁ ୫ରଣ କରିଥିଲେ | ସେ କୁଲଦୀପ ଯାଦବଙ୍କ ବଲରେ ଆମ୍ବଟି ରାୟୁଡୁଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ଆର.ରୋଜ ୧୫ଟି ବଲରେ ୫ରଣ କରିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ କେଦାର ଯାଦବଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ଓ.ଥାମାସଙ୍କୁ ରବୀନ୍ଦ୍ର ଜାଡେଜା ଏଲବିଡବ୍ଲ୍ୟୁ କରି ଆଉଟ କରିଥିଲେ | ଦୁଇଟି ବଲ ଖେଳିଥିଲେ ମଧ୍ୟ ସେ କୌଣସି ରନ ସଂଗ୍ରହ କରିପାରିନଥିଲେ | ଡି.ବିଶୋ ନଟ ଆଉଟ ରହିଥିଲେ | ସିରିଜର ଶେଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ୪ଟି ଉଇକେଟ ମିଳିଥିବା ବେଳେ ଯଶପ୍ରୀତ ବୁମରାହା ଓ ଖାଲିଲ ଅହମଦଙ୍କୁ ଦୁଇଟି ଲେଖାଏଁ ଉଇକେଟ ମିଳିଛି | ଭୁବନେଶ୍ୱର କୁମାର ଏବଂ କେଦାର ଯାଦବଙ୍କୁ ଗୋଟିଇ ଲେଖାଏଁ ଉଇକେଟ ମିଳିଛି | ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଆଜି ୩ଜଣ ଡକ ଆଉଟ ହୋଇଥିବାବେଳେ ମାତ୍ର ତିନିଜଣ ଖେଳାଳିଙ୍କ ବ୍ୟକ୍ତିଗତ ରନ ଦୁଇଅଙ୍କ ଛୁଇଁଥିଲା | ଏକ ସହଜ ବିଜୟ ଲକ୍ଷ ନେଇ ପଡିଆ ଓହ୍ଲାଇଥିବା ଭାରତୀୟ ଦଳ ଏକ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛି | ଏହି ମ୍ୟାଚରେ ବୁଜେଇ ହେଲେ ଭାରତ ୩/୧ରେ ସିରିଜ ବିଜୟୀ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.