ଆଉ ଚଳିବନି ମମତା ସରକାରଙ୍କ ମନମାନି, ଆନ୍ଦୋଳନକୁ ଓହ୍ଲାଇବେ ପଶ୍ଚିମବଙ୍ଗ ଆଳୁ ବେପାରୀ

Published By : Prameya-News7 Bureau | August 14, 2024 IST

ଭୁବନେଶ୍ଵର: ପଶ୍ଚିମବଙ୍ଗ ସରକାରଙ୍କ ମନମାନି ପାଇଁ କେବଳ ଯେ ଓଡ଼ିଶାରେ ଲୋକେ ଆଳୁ ସମସ୍ୟା ଭୋଗୁଛନ୍ତି ତାହା ନୁହେଁ ପଶ୍ଚିମବଙ୍ଗର ଆଳୁ ବେପାରୀ ବି କ୍ଷତି ସହୁଛନ୍ତି । ସେମାନେ ଏବେ ସରକାରଙ୍କ ଏଭଳି ମନମାନି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାହାରିଲେଣି ।  କାରଣ ଅଧା ରାସ୍ତାରେ ଟ୍ରକ ଅଟକା ଯାଉଥିବାରୁ ଠିକ୍ ସମୟରେ ଆଳୁ ନ ପହଞ୍ଚି ପାରି ପଚିବାରେ ଲାଗିଛି। ଆଉ ଏହାର କ୍ଷତି ମଧ୍ୟ ପଶ୍ଚିମବଙ୍ଗ ଆଳୁ ବେପାରୀଙ୍କୁ ଉଠାଇବାକୁ ପଡ଼ିଛି। 

ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲା ସାତଶଙ୍ଖକୁ ଆଳୁ ସପ୍ଲାଇ କରି ଆସୁଛନ୍ତି ପଶ୍ଚିମବଙ୍ଗର ଜଣେ ଆଳୁ ବ୍ୟବସାୟୀ ।   ସାତଶଙ୍ଖର ଆଳୁ ବ୍ୟବସାୟୀ ରବି ନାରାୟଣଙ୍କ ଗୋଦାମକୁ ପଶ୍ଚିମବଙ୍ଗରୁ ୩୦ଟନ୍‌ ଆଳୁ ଆସିଥିବା ବେଳେ ସେଥିରୁ ୫ଟନ୍‌ ଆଳୁ ପଚିଯାଇଛି । ଆଉ ଆଳୁ ପଠାଇଥିବା ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ଏହି କ୍ଷତି ସହିବାକୁ ପଡ଼ୁଛି । ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ କହିବା କଥା ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍‌ ପୁରୀ ପହଞ୍ଚିବାକୁ ୨୪ଘଣ୍ଟାରୁ କମ୍‌ ସମୟ ଲାଗିଥାଏ । 

Also read: ଚଢ଼ାଉ ପରେ ଗିରଫ ହେଲେ ନୀଳଗିରି ଡେପୁଟି କଲେକ୍ଟର, OMBADC ପାଣ୍ଠି ହେରଫେର ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

ହେଲେ ବାଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଉଥିବାରୁ ଅନ୍ୟ ରୁଟ୍‌ ଦେଇ ଗାଡ଼ି ଆସିବାରୁ ୪/୫ଦିନ ବିଳମ୍ବ ହେଉଛି । ତେଣୁ ଆଳୁ ପଚି ଯାଉଛି । ପଶ୍ଚିମବଙ୍ଗ ସରକାର ଯଦି ଓଡ଼ିଶାକୁ ଆଳୁ ଗାଡ଼ି ନଛାଡ଼ନ୍ତି ତାହେଲେ ସେଠାରେ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ । ସେ ଆହୁରି ବି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୪୭୦ ଶୀତଳ ଭଣ୍ଡାରରେ ଆଳୁ ମହଜୁଦ୍‌ ରହିଛି । ବଙ୍ଗ ସରକାରଙ୍କ ମନମାନି ଯୋଗୁଁ ସେମାନଙ୍କୁ ବି ବ୍ୟବସାୟରେ କ୍ଷତି ସହିବାକୁ ପଡ଼ୁଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.