ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲେ ମମତା ସରକାର, କଲିକତା ହାଇକୋର୍ଟଙ୍କ ଆଦେଶକୁ କଲେ ଚ୍ୟାଲେଞ୍ଜ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ସନ୍ଦେଶଖାଲି ମାମଲାକୁ ନେଇ ପଶ୍ଚିମବଙ୍ଗର ମମତା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କଲିକତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ଏଥିରେ କୋର୍ଟ ସନ୍ଦେଶଖାଲି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି । ମମତା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ହାଇକୋର୍ଟ ଏହା ପୂର୍ବରୁ ନିଜ ରାୟରେ ଅଭିଯୁକ୍ତ ଶାହାଜାହାନ ଶେଖକୁ ଆଜି ସଂଧ୍ୟା ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କଲିକତା ହାଇକୋର୍ଟ ମଙ୍ଗଳବାର ସନ୍ଦେଶଖାଲି ମାମଲାରେ ରାୟ ଶୁଣାଇ ମମତା ବାନାର୍ଜୀ ସରକାରଙ୍କୁ ଝଟକା ଦେଇଥିଲେ । ହାଇକୋର୍ଟ ନିଜ ରାୟରେ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ସ୍ଥାନାନ୍ତର କରାଯାଉ । କୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହନ ଶେଖକୁ ମଙ୍ଗଳବାର ସଂଧ୍ୟା ସୁଦ୍ଧାକୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଇଛନ୍ତି । ତେବେ ନିଷ୍ପତି ପୂର୍ବରୁ ମମତା ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସଙ୍ଘଭୀ ଯୁକ୍ତି ରଖିଥିଲେ ଯେ ମାମଲାରେ ପଶ୍ଚିମବଙ୍ଗ ସରକାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ।

ପଢନ୍ତୁ: ସନ୍ଦେଶଖାଲି ହିଂସା ମାମଲା: ଶାହଜହାଁ ଶେଖ୍‌କୁ CBI ହସ୍ତାନ୍ତର ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହାରି ଭିତରେ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ମାମଲାର ଶୀଘ୍ର ଶୁଣାଣି ପାଇଁ ନିବେଦନ କରାଯାଇଛି । ତେବେ ସୁପ୍ରିମକୋର୍ଟରେ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ମାମଲାରେ ତତ୍କାଳରେ ଶୁଣାଣି ଉପରେ ମନା କରିଛନ୍ତି । ଏହାସହ ମାମଲାର ଉଲ୍ଲେଖ ରେଜିଷ୍ଟାରରେ କରିବା ପାଇଁ ଆଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.