ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟିବେନି ମମତା ବାନାର୍ଜୀ, ବଦଳିଲା ନିଷ୍ପତ୍ତି
15/06/2019 at 3:56 PM

କୋଲକାତା ୧୫।୬: ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଜୁନିୟର ଡାକ୍ତରଙ୍କୁ ରୋଗୀଙ୍କ ଆତ୍ମୀୟମାଡ ମାରିବା ଘଟଣା କ୍ରମେ ସାରା ଦେଶରେ ଚିକିତ୍ସା ବ୍ୟବସ୍ଥାକୁ ପ୍ରଭାବିତ କଲାଣି। ପଶ୍ଚିମବଙ୍ଗରେ ସରାକାରୀ ଡାକ୍ତରଙ୍କ ଆନ୍ଦୋଳନ ଶନିବାର ୫ ଦିନରେ ପହଞ୍ଚିଥିବା ବେଳେ ରୋଗୀ ସେବା ଗୁରୁତର ରୂପ ଧାରଣ କରିଛି। ସେପଟେ ଦିଲ୍ଲୀରେ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିବା ପରିସ୍ଥିତିକୁ ଜଟିଳ କରିପକାଇଛି। ଉପୁଜିଥିବା ପରିସ୍ଥିତିରେ ମମତା ହସ୍ପିଟାଲକୁ ଯାଇ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା କରିବେ ବୋଲି ଶୁଣା ଯାଉଥିଲା। ତେବେ ମମତା ଏବେ ତାଙ୍କର ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ହସ୍ପିଟାଲ ଯାଇ ସେ ଡାକ୍ତରମାନଙ୍କୁ ଭେଟିବେନି ବୋଲି ଜଣାପଡିଛି।

ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ ଯୋଗୁ ଶୁକ୍ରବାର ପ୍ରାୟ ୭ଶହରୁ ଊର୍ଦ୍ଧ୍ବ ଡାକ୍ତର ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଉନଥିବାରୁ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ଅନେକ ଗୁରୁତର ରୋଗୀ ପ୍ରାଣ ହରାଉଥିବା ଜଣାପଡିଛି। ସରକାରୀ ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ସାମାନ୍ୟ ଅକ୍ସିଜେନ ମିଳିପାରୁନଥିବା ବେଳେ ଅପରେସନ ବନ୍ଦ ରହିଛି।

ସେପଟେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ବିରୋଧ କରିଛି ଆଇଏମଏ। ଦେଶର ୧୯ ରାଜ୍ୟରେ ଆଇଏମଏ ଜୁନ ୧୭ ତାରିଖ ଦିନ ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ ଡାକରା ଦେଇଛନ୍ତି। ଡାକ୍ତରଙ୍କର ଏହି ଆନ୍ଦୋଲନରେ ଓପିଡି ବନ୍ଦ ରହିବ। ତେବେ ଜରୁରୀ ସେବା ଜାରୀ ରହିବ ବୋଲିସଂଘ କହିଛି।