ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ
27/02/2020 at 10:31 AM

ଭୁବନେଶ୍ବର ୨୭।୨: ଓଡ଼ିଶା ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ କାଉନ୍ସିଲ୍ ବୈଠକରେ ମଧ୍ୟ ସେ ଯୋଗଦେବେ ।
ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ବୁଧବାର ଅପରାହ୍ନରେ ସେ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ସେ ବାଇଶିପାହାଚ ଦେଇ ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ସେ ଶ୍ରୀମନ୍ଦିରରେ ଫଳ, ବସ୍ତ୍ର, ମହାପ୍ରସାଦ ଦାନ ସହ ଧ୍ବଜା ମଧ୍ୟ ବାନ୍ଧି ଥିଲେ। ନୀଳଚକ୍ରରେ ସବୁଠାରୁ ବଡ ବାନାଟି ତାଙ୍କ ନାମରେ ଲାଗି କରାଯାଇଥିଲା। ପରେ ସେ ଲକ୍ଷ୍ମୀ, ବିମଳା ଓ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ ସହ ଶ୍ରୀମନ୍ଦିରରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। ସେ ସମସ୍ତଙ୍କ ପାଇଁ ଶାନ୍ତି କାମନା କରି ମହାପ୍ରଭୁଙ୍କ ପୂଜା କରିଥିବା କହିଥିଲେ। ଓଡିଶା ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିବା ସହିତ ଜଗନ୍ନାଥଙ୍କ ଦର୍ଶନ କରି ବେଶ୍ ଖୁସି ବୋଲି ସେ କହିଥିଲେ। ଦଇତାପତିମାନେ ବର୍ଷକୁ ୨ ଥର ତାଙ୍କ ଘରକୁ ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥାନ୍ତି ବୋଲି ସେ ମତ ଦେଇଥିଲେ।