ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଇଁ ରାହୁଲ ଗାନ୍ଧୀ ଟିଆର୍ପି ଭଳି; ମମତା ବାନାର୍ଜୀ
19/03/2023 at 10:58 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ। ରାହୁଲଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା କହିଛନ୍ତି ଯଦି ରାହୁଲ ଗାନ୍ଧୀ ବିପକ୍ଷ ଦଳର ନେତା ହେବେ ତେବେ ନରେନ୍ଦ୍ର ମୋଦୀ(ପିଏମ୍ ମୋଦୀ)ଙ୍କୁ କେହି ହରାଇପାରିବେ ନାହିଁ। ପିଏମ୍ ମୋଦୀଙ୍କ ପାଇଁ ରାହୁଲ ଗାନ୍ଧୀ ଟିଆର୍ପି ବୋଲି ମମତା କହିଛନ୍ତି। ରବିବାର (୧୯ ମାର୍ଚ୍ଚ)ମୁର୍ଶିଦାବାଦରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ମମତା।
ସେହିପରି ସାଗରଦିଘୀ ଉପନିର୍ବାଚନରେ ପରାଜୟକୁ ନେଇ ମମତା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଉପନିର୍ବାଚନରେ ଅଧୀର ରଞ୍ଜନ ବିଜେପି ଓ ସିପିଆଇଏମ୍ ସହ ପ୍ଲାନିଂ କରିଥିଲେ। ସେ ବିଜେପିର ନମ୍ବର ୱାନ୍ ନେତା। ତେଣୁ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରୁହନ୍ତୁ ବିଜେପି ଚାହୁଁଛି ବୋଲି ମମତା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଜେପି ରାହୁଲ ଗାନ୍ଧୀଙ୍କୁ ନେତା କରିବା ପାଇଁ ସଂସଦରେ ହଙ୍ଗାମା ହେବାକୁ ଦେଲା। ବିଜେପି ଚାହୁଁଛି ରାହୁଲ ବିରୋଧୀ ଦଳର ନେତା ହୁଅନ୍ତୁ। ତା ନ ହୋଇଥିଲେ ଯାହା ସେ ବାହାରେ କହିଥିଲେ ତାକୁ ନେଇ ସଂସଦରେ ହଙ୍ଗାମା କାହିଁକି ହେଲା ? ଆମେ ଚାହୁଁଛୁ ସଂସଦରେ କାର୍ଯ୍ୟ ସୁଚାରୁରୂପେ ଚାଲୁ। ଆମେ ଆଦାନୀ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଚାହୁଁଛୁ। ଆମେ ସିଏଏ, ଏନ୍ଆର୍ସି, ସମାନ ନାଗରିକ ସଂହିତାକୁ ବିରୋଧ କରିଥିଲୁ। ସଂଖ୍ୟା ଲଘୁ ସମ୍ପ୍ରଦାୟ ଆମ ସହ ସୁରକ୍ଷିତରେ ଅଛି ବୋଲି ମମତା କହିଛନ୍ତି।