କୋଲକାତା ୨୩/୧୨: ଶିକ୍ଷା ବ୍ୟବସ୍ଥା ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ଧିରେଧିରେ ସ୍ଥିତିରେ ସୁଧାର ଆସୁଛି । ବିଭିନ୍ନ ପରୀକ୍ଷା କରୋନା ନିୟମକୁ ନଜରରେ ରଖି କରାଯାଉଥିବା ବେଳେ ଏକାଧିକବାର କରାଯାଉଛି। ବିଶେଷ କରି ଏବେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ପଶ୍ଚିମବଙ୍ଗ ସରକାର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।
୨୦୨୧ ଜୁନ୍ରେ ଗୋଟିଏ ପରେ ଗୋଟିଏ ପରୀକ୍ଷା କରିବାକୁ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଥିବା ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ବୁଧବାର ସୂଚନା ଦେଇଛନ୍ତି। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷା ଜୁନରେ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ବିଚାର ବିମର୍ଶ ପରେ ଜୁନରେ ହିଁ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିବା କହିବା ସହ ପରୀକ୍ଷା ପାଇଁ ତାରିଖ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।
ଏହା ପୂର୍ବରୁ ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଥିଲା। କରୋନା ଭୟାବହତାକୁ ନଜରରେ ରଖି ବାର୍ଷୀକ ପରୀକ୍ଷା ବିନା ଉପର ଶ୍ରେଣୀକୁ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଅନ୍ୟପଟେ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଏଯାଏଁ ମିଳିପାରିନାହିଁ।
ତେବେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିଲେ ସ୍କୁଲ ଖୋଲିବା କଥା ଚିନ୍ତା କରାଯିବ ବୋଲି କହିଥିଲେ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଏହାସହ ସିଲାବସ୍ କମିଟିର ସୁପାରିଶ କ୍ରମେ ଦଶମ ଓ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମ ମାର୍ଚ୍ଚ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ୩୦ ପ୍ରତିଶତ ହ୍ରାସ କରାଯାଇଛି ବୋଲି ମଧ୍ୟ କହିଥିଲେ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ।