କୋଲକାତା: ପଶ୍ଚିମବଙ୍ଗ ଆର.ଜି କର ହସ୍ପିଟାଲ ଏବଂ କଲେଜରେ ମହିଳା ଡ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ । ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ସ୍ବର ଉଠୁଛି । ଏଥିପାଇଁ କୋଲକାତା ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏଭଳି ଜଘନ୍ୟ ଘଟଣାକୁ ରୋକିବାକୁ କଠୋର ଆଇନର ଆବଶ୍ୟକତା ରହିଛି । ଏନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ବୃଦ୍ଧିଜୀବୀ ପର୍ଯ୍ୟନ୍ତ ଦୁଷ୍କର୍ମ ପାଇଁ ସ୍ବତନ୍ତ୍ର ଆଇନ ଦାବି କରିଛନ୍ତି । ସେପଟେ ସୋମବାର ପଶ୍ଚିମବଙ୍ଗ ସରକାର ଦୁଇ ଦିନିଆ ବିଧାନସଭା ଅଧିବେଶନ ଡାକିଛନ୍ତି । ଏହି ସ୍ବତନ୍ତ୍ର ଅଧିବେଶନରେ ଏକ ବିଧେୟକ ଆଗତ କରାଯିବ । ଏଥିରେ ଦୁଷ୍କର୍ମକାରୀ ଦୋଷୀଙ୍କୁ ୧୦ ଦିନ ମଧ୍ୟରେ ମୃତ୍ୟୁ ଦଣ୍ଡାଦେଶ ପାଇଁ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ରଖାଯିବ ।
ସୂଚନା ଅନୁଯାୟୀ, ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ ଏବଂ ମଙ୍ଗଳବାର ଏହି ବିଲ୍ ପାରିତ ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେପି ମମତା ବାନାର୍ଜୀ ସରକାରଙ୍କ ଏହି ପ୍ରସ୍ତାବରେ ସମର୍ଥନ କରିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଦିନ ପୂର୍ବରୁ କହିଥିଲେ, ଟିଏମସି ସରକାର ଦୁଷ୍କର୍ମ ବିରୋଧୀ ଆଇନ ଆଣିବେ । ଏହି ବିଲ୍ ପାସ୍ ହେଲେ ଦୁଷ୍କର୍ମ ଦୋଷୀଙ୍କୁ ୧୦ ଦିନ ମଧ୍ୟରେ ଫାଶି ମିଳିବାର ବ୍ୟବସ୍ଥା ରହିବ । ବିଜେପି ନେତା ସୁକାନ୍ତ ମଜୁମଦାର କହିଛନ୍ତି, ଆମେ ନିଷ୍ପତ୍ତି ନେଇ ମମତା ବାନାର୍ଜୀଙ୍କ ଏହି ବିଲ୍ ଦଳ ସମର୍ଥନ କରିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଗୃହରେ ବିରୋଧ ଜରି ରହିବ ବୋଲି ବିଜେପି ନେତା କହିଛନ୍ତି ।...