ନୂଆଦିଲ୍ଲୀ ୦୪।୦୬: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଜଣେ ଚୋରର କାର୍ଯ୍ୟ ଏବେ କୌତୁହଳର ବିଷୟ ହୋଇଛି । ଚୋରି ଉଦ୍ଦେଶ୍ୟରେ ଏକ ଘରେ ପଶିଥିବା ଚୋର ଭୀଷଣ ଗରମର ଶିକାର ହୋଇଥିଲା । ଘରେ ଏସିର ଥଣ୍ଡା ପବନ ପାଇବା ପରେ ସେ ଚୋରି କରିବା ଭୁଲିଗଲା । ଥଣ୍ଡା ପବନ ଦେହରେ ବାଜିବା ମାତ୍ରେ ତାକୁ ନିଦ ଆସିଗଲା । ସେହିଠାରେ ସେ ଗଭୀର ନିଦରେ ଶୋଇପଡ଼ିଲା । କିନ୍ତୁ ଉଠିବା ବେଳକୁ ସବୁ ଓଲଟ ପାଲଟ ହୋଇ ସାରିଥିଲା । ପୁଲିସ ତାକୁ ବାନ୍ଧି ସାରିଥିଲା । ଘଟଣାଟି ଇନ୍ଦିରାନଗର ଥାନା କ୍ଷେତ୍ରର ସେକ୍ଟର-୨୦ର । ଇନ୍ଦିରାନଗର ଅଞ୍ଚଳରେ ଡା. ସୁନୀଲ ପାଣ୍ଡେ ନାମକ ଜଣେ ବ୍ୟକ୍ତି ରହୁଛନ୍ତି। ରୋଗୀ ସେବା ଲାଗି ସେ ବାରାଣସୀରେ ଥିବାରୁ ତାଙ୍କ ଘର ଖାଲି ଥିଲା ।
ଏହାର ସୁଯୋଗ ନେଇ ଚୋର ସାମ୍ନା ଗେଟ୍ରେ ଘର ଭିତରକୁ ପଶିଥିଲା । ଭିତରକୁ ପଶିବା ପରେ ସେ ଡ୍ରଇଂ ରୁମ୍ରେ ପହଞ୍ଚିଲା ।
ତେବେ ଚୋରି କରିବା ପୂର୍ବରୁ ଭୀଷଣ ଗରମରୁ ତ୍ରାହି ପାଇବାକୁ ପ୍ରଥମେ ସେ ଏସି ଚଲାଇଲା। ଏସିର ଥଣ୍ଡା ପବନ ପାଇବା ମାତ୍ରେ ସେ ଚଟାଣରେ ଗଡ଼ିଗଲା । କିଛି ସମୟ ମଧ୍ୟରେ ତା’ର ଆଖି ଲାଗିଗଲା । ସେ ଆରାମରେ ଶୋଇପଡ଼ିଲା । ଘର ଗେଟ୍ ଖୋଲାଥିବା ଦେଖି ପଡ଼ୋଶୀ ଡା. ସୁନୀଲଙ୍କୁ ଫୋନ୍ କଲେ । ତା’ପରେ ସୁନୀଲ ପୁଲିସକୁ ଏ ବିଷୟରେ ଜଣାଇଲେ ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା, ଚୋର ଏସିରେ ଅଚିନ୍ତା ନିଦରେ ଶୋଇଛି । ତାକୁ ଗିରଫ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନର୍ଥ ଜୋନ୍ ଡିସିପି ବିଜୟ ଶଙ୍କର କହିଛନ୍ତି, ଚୋରି ଉଦ୍ଦେଶ୍ୟରେ ଚୋର ଘରେ ପଶିଥିଲା । କିନ୍ତୁ ଏସିର ଥଣ୍ଡାରେ ଶୋଇପଡ଼ିଲା । ସେ ଅତିମାତ୍ରାରେ ନିଶା ସେବନ କରିଥିଲା । ସେଥିପାଇଁ ଶୋଇବା ପରେ ଆଉ ଉଠିପାରିଲା ନାହିଁ ।