ସାଧାରଣତନ୍ତ୍ର ଦିବସରେ 'ଭାରତର ଜ୍ଵାଇଁ' ବୋରିସ୍ ଜନସନଙ୍କୁ ସ୍ଵାଗତ, ଜାଣନ୍ତୁ ସଂପର୍କ ପଛର ସତ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭।୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ଏଥର ଅତିଥି ହେଉଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଫୋନ୍‌ରେ କଥା ହୋଇ ଜନସନଙ୍କୁ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରିତ କରିଥିଲେ ଯାହାକୁ ସ୍ଵୀକାର କରିଥିଲେ ଜନସନ। ବିଶେଷ କରି ବ୍ରିଟେନ୍‌ର ମହାମାରୀ କରୋନା ଭାଇରସ୍‌ର ନୂତନ ରୂପ ସାମ୍ନାକୁ ଆସିବା ପରେ ଜନସନଙ୍କ ଭାରତ ଗସ୍ତ ନେଇ କିଛିଟା ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ସେ ସବୁ ଦ୍ଵନ୍ଦ୍ଵ ଦୂର ହୋଇଛି। ଜନସନ ଭାରତ ଆସିବା ଦୁଇ ଦେଶର ସଂପର୍କ କେତେ ସୁଦୃଢ ତାହା ପ୍ରତିଫଳିତ ହେଉଛି ବିଶେଷ କରି ୧୯୪୭ ପରଠୁ। କହିବାକୁ ଗଲେ ସାଧାରଣତନ୍ତ୍ର ଦିବସରେ ଭାରତର ଜ୍ଵାଇଁ ବୋରିସ ଜନସନ ଅତିଥି ହେବାକୁ ଯାଉଛନ୍ତି।

ପ୍ରଥମତଃ ଜନସନଙ୍କ ଭାରତ ସହିତ ଘନିଷ୍ଠ ପାରିବାରିକ ସମ୍ବନ୍ଧ ରହିଛି। ତାଙ୍କର ଦ୍ଵିତୀୟ ପତ୍ନୀ ମାରିନା ହ୍ଵିଲର ହେଉଛନ୍ତି ଭାରତୀୟ ବଂଶଜ। ତାଙ୍କ ମା ଦୀପ କୌର ଜଣେ ଶିଖ୍। ଦୀପ କୌର ଦଲଜିତ ସିଂହଙ୍କୁ ବିବାହ କରିଥିଲେ। ପରେ ଦଲଜିତ କୌରଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ଦୀପ ନୂଆଦିଲ୍ଲୀରେ ବିବିସି ସାମ୍ବାଦିକ ସାର ଚାର୍ଲ୍ସ  ହ୍ଵିଲରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ହେଉଛନ୍ତି ମାରିନା ଓ ସିରିନ। ମାରିନା ବ୍ରସେଲର ୟୁରୋପୀୟାନ ସ୍କୁଲରେ ପଢିବା ବେଳେ ଜନସନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ବୋରିସ ଜନସନ ମାରିନାଙ୍କୁ ବିବାହ କରିଥିଲେ।

ଉଭୟଙ୍କ ବୈବାହିକ ଜୀବନ ଦୀର୍ଘ ୨୫ ବର୍ଷ ଧରି ରହିଥିଲା। ଉଭୟଙ୍କ ଚାରୋଟି ସନ୍ତାନ ଅଛନ୍ତି। ଗୋଟିଏ ବର୍ଷ ପୂର୍ବେ ଦମ୍ପତ୍ତି ପରସ୍ପରକୁ ଛାଡପତ୍ର ଦେଇଥିଲେ। ବୋରିସ କ୍ୟାରି ସାଇମଣ୍ଡଙ୍କୁ ବିବାହ କରିଥିଲେ। ସାଇମଣ୍ଡଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ରହିଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ ଜଣେ ରଙ୍ଗୀନ ମିଜାଜର ଲୋକ। ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ତାଙ୍କର ଏହି ବ୍ୟକ୍ତିଗତ ଜୀବନ ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରିନଥିବା ଜନସନ କୁହନ୍ତି। ସେ ଲଣ୍ଡନର ସବୁଠୁ ସଫଳ ମେୟର ଥିଲେ। ଗତ ନିର୍ବାଚନରେ ତାଙ୍କର କଞ୍ଜରଭେଟିଭ୍ ପାର୍ଟିକୁ ବିପୁଳ ବିଜୟ ମିଳିଥିଲା। ବୋରିସ୍ ପତ୍ନୀ ମାରିନାଙ୍କ ସହିତ ନିଜର ବ୍ୟକ୍ତିଗତ ଭାରତୀୟ ଯାତ୍ରା ସମୟରେ ନିଜକୁ ଭାରତର ଜ୍ଵାଇଁ ବୋଲି କହିଥିଲେ। ଏହି ଦୃଷ୍ଟିରେ ଦେଖିବାକୁ ଗଲେ ଜ୍ଵାଇଁ ଜନସନ ଭାରତ ଗସ୍ତରେ ଆସୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.