ବର-ବଧୂଙ୍କ ଏହିସବୁ ଗୁଣ ଦେଖି ଧାର୍ଯ୍ୟ କରାଯାଏ ବିବାହ ମୁହୂର୍ତ୍ତ: ଜାଣନ୍ତୁ କେତେ ମହତ୍ତ୍ୱପୂର୍ଣ୍ଣ ଜନ୍ମ ରାଶି

Published By : Prameya-News7 Bureau | November 24, 2021 IST

ଭୁବନେଶ୍ୱର ୨୪/୧୧ : ବାହାଘର ଋତୁ ଆରମ୍ଭ ହୋଇଯାଇଛି। ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ ପରିବାର ଲୋକ ବାହାଘର ତାରିଖ ଧାର୍ଯ୍ୟ କରିବାରେ ଲାଗିଛନ୍ତି। ଯୁବକ ଯୁବତୀଙ୍କ କୁଣ୍ଡଳୀ ମେଳ କରିବା ଭଲ ତାରିଖ ଓ ଲଗ୍ନ ଧାର୍ଯ୍ୟ କରିବା ସବୁଠାରୁ ମୁସ୍କିଲ କାମ। ଲଗ୍ନ ଧାର୍ଯ୍ୟ କରିବାରେ କିଛି ଭୁଲ ହେଲେ ବିବାହରେ ଗମ୍ଭୀର ଦୋଷ ଲାଗିଥାଏ। ବିବାହରେ ତିଥିକୁ ଶରୀର, ଚନ୍ଦ୍ରମାକୁ ମନ, ଯୋଗ ଓ ନକ୍ଷତ୍ରକୁ ଶରୀରର ଅଙ୍ଗ ଓ ଲଗ୍ନକୁ ଆତ୍ମା କୁହାଯାଏ। ହିନ୍ଦୁ ଧର୍ମରେ ବିବାହ ମୁହୂର୍ତ୍ତ କିଭଳି ଧାର୍ଯ୍ୟ କରାଯାଏ ଆସନ୍ତୁ ଜାଣିବା।

ଜନ୍ମ ରାଶି ଆଧାରରେ ଧାର୍ଯ୍ୟ ହୁଏ ତାରିଖ :

୧. ହିନ୍ଦୁ ପଦ୍ଧତି ଅନୁସାରେ ବର-ବଧୂଙ୍କ ବିବାହ ତିଥି ସେମାନଙ୍କ ଜନ୍ମ ରାଶି ଆଧାରରେ ଧାର୍ଯ୍ୟ କରାଯାଇ। ବର-ବଧୂଙ୍କ କୁଣ୍ଡଳୀ ଓ ଗୁଣ ମେଳ କରିବା ପରେ ବିବାହ ମୁହୂର୍ତ୍ତ ବାହାର କରାଯାଏ।

୨. ବିବାହ ଦିନ ଧାର୍ଯ୍ୟ କରିବାକୁ ସେହି ଦିନ ବ୍ୟବହାରିକ ହେବା ମଧ୍ୟ ଜରୁରୀ। ସେଥିପାଇଁ ବିବାହ ମୁହୂର୍ତ୍ତ ଧାର୍ଯ୍ୟ କଲାବେଳେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ଓ କମ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ନଜରଅନ୍ଦାଜ କରିଦେବା ଉଚିତ।

୩. ରୀତିନୀତି ଓ ପାଞ୍ଜି ଅନୁସାରେ ବର-ବଧୂଙ୍କ କୁଣ୍ଡଳୀ ମେଳ କରାଯାଏ। ବର-ବଧୂଙ୍କ କୁଣ୍ଡଳୀ ଦେଖି ୩୬ ଗୁଣ ମେଳ କରାଯାଏ। ଉଭୟଙ୍କ ଅତିକମରେ ୧୮ ରୁ ୩୨ ଗୁଣ ମେଳ ଖାଇଲେ ବିବାହ ସଫଳ ହେବାର ସମ୍ଭାବନା ଥାଏ।

୪. ବର-ବଧୂଙ୍କ ଜନ୍ମ ଯେଉଁ ଚନ୍ଦ୍ର ନକ୍ଷତ୍ରରେ ହୋଇଥାଏ ସେହି ନକ୍ଷତ୍ରର ଚରଣରେ ଆସୁଥିବା ଅକ୍ଷରକୁ ମଧ୍ୟ ବିବାହ ଧାର୍ଯ୍ୟ କରିବାକୁ ବ୍ୟବହାର କରାଯାଏ।

ବିବାହ ଲଗ୍ନ ଧାର୍ଯ୍ୟ କଲାବେଳେ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି:

- ବର-ବଧୂଙ୍କ ଲଗ୍ନ ରାଶିରୁ ଅଷ୍ଟମ ରାଶି ଲଗ୍ନ, ବିବାହ ପାଇଁ ଶୁଭ ନୁହେଁ।

- ଜନ୍ମ କୁଣ୍ଡଳୀରେ ଅଷ୍ଟମ ଭାବର ସ୍ୱାମୀ ବିବାହ ଲଗ୍ନରେ ଅବସ୍ଥିତ ନଥିଲେ ଶୁଭ ନୁହେଁ।

- ବିବାହ ଲଗ୍ନରୁ ଦ୍ୱାଦଶ ଭାବରେ ଶନି ଓ ଦଶମ ଭାବରେ ଶନି ନଥିବା ଉଚିତ।

- ବିବାହ ଲଗ୍ନରୁ ତୃତୀୟ ଭାବରେ ଶୁକ୍ର, ଲଗ୍ନ ଭାବରେ କୌଣସି ପାପି ଗ୍ରହ ନଥିବା ଉଚିତ।

- ଲଗ୍ନରେ ପୀଡିତ ଚନ୍ଦ୍ର, ଶୁକ୍ର ଓ ମଙ୍ଗଳ ଅଷ୍ଟମ ଭାବରେ ଅବସ୍ଥିତ ନଥିବା ଉଚିତ।

- ବିବାହ ଲଗ୍ନରୁ ସପ୍ତମ ଭାବରେ କୌଣସି ଗ୍ରହ ନଥିବା ଉଚିତ।

- ବିବାହ ଲଗ୍ନର ଦ୍ୱିତୀୟ-ଦ୍ୱାଦଶ ଭାବରେ କୌଣସି ପାପି ଗ୍ରହ ନଥିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.