ମୁମ୍ଵାଇ୧୧।୧୨: ମୁମ୍ୱାଇ ସହରର ଜିଓ ୱାର୍ଲଡ୍ ସେଣ୍ଟର ପରିସରରେ ନିର୍ମାଣ କରାଯାଉଥିବା ‘ନୀତା ମୁକେଶ ଅମ୍ୱାନି କଲଚରାଲ୍ ସେଣ୍ଟର’ (ଏନ୍ଏମ୍ଏସିସି)ର ୱେବସାଇଟ୍କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ଦର୍ଶକମାନଙ୍କ ଲାଗି ଖୋଲାଯିବ। ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡ଼ିଓ ଜାରି କରି କଳା ପ୍ରତି ମା' ନୀତା ଅମ୍ୱାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ୱାନି ସଲାମ କରିଛନ୍ତି।
ସେ କହିଛନ୍ତି ଯେ, ଗତ ୫୦ ବର୍ଷ ଧରି ନୀତା ଅମ୍ୱାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି। ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା' ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ଇଶା କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ନୀତା ଅମ୍ୱାନି କହିଛନ୍ତି ଯେ, ମୋ ପିଲାଦିନର ସ୍ୱପ୍ନକୁ ନୀତା ମୁକେଶ ଅମ୍ୱାନି କଲଚରାଲ ସେଣ୍ଟର ପୂରଣ କରିଛି। ମୁଁ ଆଶା କରୁଛି ଯେ, କଳାକାରମାନେ ଏଠାକୁ ଆସି ସେମାନଙ୍କ କଳ୍ପନାକୁ ବାସ୍ତବ କରିପାରିବେ।
"ନୀତା ମୁକେଶ ଅମ୍ୱାନି କଲ୍ଚରାଲ ସେଣ୍ଟରରେ ଏକ ତିନି ମହଲା କୋଠାରେ ପରଫର୍ମିଂ ଓ ଭିଜୁଆଲ ଆର୍ଟସ୍କୁ ପ୍ରଦର୍ଶିତ କରାଯିବ। ଫରଫର୍ମିଂ ଆର୍ଟସ୍ ଲାଗି ଦ ଗ୍ରାଣ୍ଡ୍ ଥିଏଟର, ଦ ଷ୍ଟୁଡିଓ ଥିଏଟର ଏବଂ ଦ କ୍ୟୁବ୍ ଭଳି ଅତି ସୁନ୍ଦର ଥିଏଟର ତିଆରି କରାଯିବ। ଭାରତୀୟ ଓ ଅନ୍ତର୍ଜାତୀୟ କଳାକାରଙ୍କ ପ୍ରଦର୍ଶନୀ ପାଇଁ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍ର ମଧ୍ୟ ଶୁଭାରମ୍ଭ କରାଯିବ।