ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ, କିଛି ସ୍ଥାନରେ ଘନ କୁହୁଡି
28/02/2020 at 7:16 AM

ଭୁବନେଶ୍ବର ୨୮।୨: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ତେବେ ମାର୍ଚ୍ଚ ୨ରୁ ୪ଟି ଜିଲ୍ଲାର ପାଗରେ ପରିବର୍ତ୍ତନ ଆସିବ। ୨ ଓ ୩ ତାରିଖ ଦୁଇ ଦିନ ଧରି କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ମାର୍ଚ୍ଚ ୨ ଅପରାହ୍ନଠାରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୧ରୁ ୩ ଡିଗ୍ରି ଏପାଖସେପାଖ ହୋଇପାରେ। ଗତକାଲି ଠାରୁ ପୁଣିଥରେ ଦିନର ତାପମାତ୍ରା ବୃଦ୍ଧି ପାଇଛି ।

ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଛୁଇଁଛି । ଏହାବ୍ୟତୀତ ପାରଳାଖେମୁଣ୍ଡି ଓ ଗୋପାଳପୁରରେ ୩୩.୧, ରାୟଗଡ଼ାରେ ୩୧ ଡିଗ୍ରି ରହିଥିଲା । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଛି ।