ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟରେ ବାତ୍ୟାକୁ ନେଇ ଆଶଙ୍କା ରହିଥିବାବେଳେ, ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ କିନ୍ତୁ ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ୬ ସହରରେ ତାତି ୪୦ ଡିଗ୍ରୀ ଉପରେ ରହିଛି। ନୂଆପଡ଼ାରେ ସର୍ବୋଚ୍ଚ ତାତି ୪୩ ଡିଗ୍ରୀ। ବଲାଙ୍ଗିର- ୪୨.୧, ଟିଟିଲାଗଡ଼-୪୧.୫ ଡିଗ୍ରୀ, ବୌଦ୍ଧ ୪୧.୦ ଡିଗ୍ରୀ, ସମ୍ବଲପୁରରେ୪୦.୭ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ସେପଟେ ବାତ୍ୟାକୁ ନେଇ ପାଣିପାଗ ବିଭାଗ ସୂଚନା ଜାରି କରଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସକ୍ରିୟ ହୋଇଛନ୍ତି । ଶନିବାର ସଂଧ୍ୟା ସୁଦ୍ଧା ନେବ ବାତ୍ୟାର ରୂପ । ୨୬ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପରେ ମଧ୍ୟରାତିରେ ସାଗର ଦ୍ବୀପ ଓ ଖେପୁପରା ମଧ୍ୟରେ ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବାତ୍ୟା ହୋଇ ଅତିକ୍ରମ କରିବ । ଅବପାତଟି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ରହିବ । ସମୁଦ୍ର ଅଶାନ୍ତ ପାଇଁ ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୪ଟି ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି ।
ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନଥିଲେ ମଧ୍ୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ,ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ୩ ଜିଲ୍ଲା ବାଲେଶ୍ବର,ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।