ଲଘୁଚାପ ପ୍ରଭାବରେ ୨ ଦିନ ବର୍ଷା, ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାକୁ ରେଡ୍ ଆଲର୍ଟ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ୱର,୩୦।୦୮: ପୂର୍ବ କେନ୍ଦ୍ରୀୟ  ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ  ପରିଣତ ହୋଇଛି । ପ୍ରଭାବରେ ରାଜ୍ୟରେ ୩୧  ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ  ରେଡ ଆଲର୍ଟ ଜାରି କରାଯାଇଛି । ଶୁକ୍ରବାର କୋରାପୁଟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ  ଏହି ଲଘୁଚାପ ଉତ୍ତର ବଙ୍ଗୋପସାଗରରେ  କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ  ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।  ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ  ସ୍ଥଳଭାଗ ମୁହାଁ ହେବ । ପ୍ରଭାବରେ ୩୧ ତାରିଖ  ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ହେବ ।  

ଶୁକ୍ରବାର ପ୍ରବଳରୁ ଅତି ପ୍ରବଳ ବର୍ଷା  ନେଇ ମାଲକାନଗିରି, କୋରାପୁଟ, ଗଜପତି  ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସବୁ ଜିଲ୍ଲାରେ  ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ଲୋକଙ୍କୁ  ଘରୁ ନ ବାହାରିବାକୁ ଏସ୍‌ଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ପକ୍କା ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ବାତ୍ୟା  ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଏହି  ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।  ବର୍ଷା ସମୟରେ ତଳି ଅଞ୍ଚଳରେ ଜଳବନ୍ଦୀ, ପାହାଡି  ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୃତ୍ରିମ ବନ୍ୟା,  କଚା ଘର ଭାଙ୍ଗିବା ନେଇ ସତର୍କ କରିଛି ପାଣିପାଗ  ବିଭାଗ । ଏହି ସବୁ ଜିଲ୍ଲାର ଜିଲ୍ଲାପାଳ, ପୌର  ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ସେହିପରି ନବରଙ୍ଗପୁର, ରାୟଗଡା,   ଗଞ୍ଜାମକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, କଳାହାଣ୍ଡି,   କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର,   ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ  ୟେଲୋ ଆଲର୍ଟ ଜାରି କରାଯାଇଛି । ଟୁଇନ୍‌ ସିଟି  କଟକ ଭୁବନେଶ୍ୱରରେ ବି ଲାଗିରହିଛି ପ୍ରବଳ  ବର୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ  ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଲାଗି ରହିବ  ବର୍ଷା । ବର୍ଷା ସମୟରେ ଘଣ୍ଟାପ୍ରତି ୩୫ରୁ ୪୫  କିଲୋମିଟର ବେଗରେ ପବନ ବହିବ । ଝଟକା  ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ ।  ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୩୦ ଓ ୩୧ରେ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.