ପାଗରେ ପରିବର୍ତ୍ତନ: ସୋମବାରଠୁ ତିନି ଦିନ ବର୍ଷା ଆଶଙ୍କା, ୧୧ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ

Published By : Prameya-News7 Bureau | December 27, 2021 IST

ଭୁବନେଶ୍ୱର,୨୭/୧୨: ସୋମବାରଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ତାରିଖ ଯାଏ ସୁନ୍ଦରଗଡ଼ ଓ ସାମୀନ୍ତବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, କେନ୍ଦୁଝର ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଖରାଟିଆ ପାଗ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୋମବାର ୧୧ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସୋମବାର ସକାଳୁ ବର୍ଷା ଆରମ୍ଭ ହେବ । ମଙ୍ଗଳବାର ଓ ବୁଧବାର ମଧ୍ୟ ବର୍ଷା ଆଶଙ୍କା ରହିଛି ।

ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ବାଲେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ସୋମବାର ସକାଳୁ ୧୧ ଜିଲ୍ଲାରେ ଘନ କୁହୁଡ଼ି ହେବ । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ, ଦେବଗଡ଼, ଅନୁଗୁଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୪ରୁ ୫ ଦିନ ଯାଏ ଶୀତ କ୍ରମଶଃ କମିବ । ରାତି ତାପମାତ୍ରା ବଢ଼ିବା ସହ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଦାରିଙ୍ଗିବାଡ଼ିରେ ରବିବାର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ଥିଲା । ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧, ବଲାଙ୍ଗୀରରେ ୧୧.୮, ଫୁଲବାଣୀରେ ୧୨, ରାୟଗଡ଼ାରେ ୧୨.୧ ଡିଗ୍ରୀ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.