ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି

Published By : Prameya-News7 Bureau | September 07, 2020 IST

ଭୁବନେଶ୍ୱର ୦୭।୦୯: ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ, ତା’ ପରେ ବର୍ଷା ବଢ଼ିବା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଡକ୍ଟର ସାହୁଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୧୩ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହେଉଛି। ଏହା ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ରହିବ। ଏହା ପ୍ରଭାବରେ ଆନ୍ଧ୍ରରେ ଅଧିକ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବି ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।

ଡ. ସାହୁ କହିଛନ୍ତି, ଆସନ୍ତା ୧୨ ତାରିଖବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୨ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇପାରେ। ଆସନ୍ତା ୧୨ ତାରିଖ ରାତିରୁ ୧୫ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି। କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଅଧିକ ବର୍ଷା ହେବ । ବାକି ଅଞ୍ଚଳରେ ପାଗ ମେଘୁଆ ରହିବା ସହ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୨ ତାରିଖ ଯାଏଁ ଓଡ଼ିଶାରେ କମ୍‌ ବର୍ଷା ସମ୍ଭାବନା ଅଛି । ଆସନ୍ତା ସପ୍ତାହକ ଭିତରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ, ଉତ୍ତର ଓଡ଼ିଶାରେ ୮ରୁ ୧୦ ଯାଏଁ, ଉପକୂଳ ଓଡ଼ିଶାରୋ ୯ ଓ ୧୦ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି।

ଅନ୍ୟ ଦିନଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ତେବେ ୧୪ ତାରିଖ ପରବର୍ତ୍ତୀ ସପ୍ତାହରେ ଭଲ ବର୍ଷା ସମ୍ଭାବନା ରହିଛି ରାଜ୍ୟରେ।

ପାଣିପାଗ ବିଭାଗ କହିଛି, ସୋମବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବର୍ତ୍ତମାନ ବର୍ଷା ନଥିବାରୁ ରାଜ୍ୟର ଅନେକ ଜାଗାରେ ପାରଦ ୩୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି। ତେଣୁ ଦିନବେଳା ଗରମ ଅନୁଭୂତ ହେଉଛି । ଅଗଷ୍ଟ ଶେଷ ସପ୍ତାହର ଲଘୁଚାପ ବର୍ଷା ପରେ ରାଜ୍ୟରେ ବର୍ଷା ଗାଏବ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.