ଆସୁଛି ଆଉ ଏକ ଲଘୁଚାପ : ୨/୩ ଦିନ ପ୍ରବଳରୁ ଅତି ପ୍ରବଳ, ଉପୁଜିପାରେ ବନ୍ୟା ସ୍ଥିତି

Published By : Prameya-News7 Bureau | August 20, 2020 IST

ଭୁବନେଶ୍ୱର ୨୦।୦୮: ଦକ୍ଷିଣରୁ ଉତ୍ତର, ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ସବୁଠି ବର୍ଷା ବିତ୍ପାତ। ନାକେଦମ୍‌ ଜନଜୀବନ। ଏ ଲଘୁଚାପଜନିତ ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ। ଉତ୍ତର ଓଡ଼ିଶାରେ ବେଶି ବର୍ଷିବ। ମହାନଦୀ ଉପରମୁଣ୍ଡରେ ବି ବର୍ଷା ବଢ଼ିବା ସମ୍ଭାବନା ଅଛି । ଏବେ ବନ୍ୟା ସ୍ଥିତି ଉପୁଜି ନାହିଁ । ହେଲେ ଆଶଙ୍କା ଟଳିନି।

ବର୍ତ୍ତମାନର ଲଘୁଚାପ ବର୍ଷା ୨୧ ତାରିଖରୁ କମିଯିବ । ଏହା ପରେ ବି ବର୍ଷା ବିତ୍ପାତ ପିଛା ଛାଡ଼ିବନି । ପୁଣି ଏକ ଲଘୁଚାପ ଆସୁଛି ଆସନ୍ତା ୨୩/୨୪ ତାରିଖ ବେଳକୁ । ୨/୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ । ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବି ବର୍ଷା ଢାଳିବ । ଏଥିରେ ମହାନଦୀ ଫୁଲି ବନ୍ୟା ଆସିପାରେ । ସେତେବେଳକୁ ଉତ୍ତର ଓଡ଼ିଶାରେ ପ୍ରବାହିତ ପ୍ରାୟ ସମସ୍ତ ନଦୀରେ ବନ୍ୟା ଆଶଙ୍କା ରହିଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟି ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ବର୍ତ୍ତମାନର ଲଘୁଚାପଟି ପଶ୍ଚିମକୁ ଗତି କରି ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଯାଇପାରେ। ଆଜି ଠାରୁ ଉତ୍ତର ପଶ୍ଚିମ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବର୍ଷା ବଢ଼ିବ । ଅପରପକ୍ଷରେ ଛତିଶଗଡ଼ରେ ମଧ୍ୟ ଗୁରୁବାର ଠାରୁ ବର୍ଷା ବଢ଼ିବ। ତା’ ପରେ ବର୍ଷା କମିବ।

ତେବେ ୨୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ଏହା ପ୍ରଭାବରେ ୨୩ ତାରିଖ ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ଉପକୂଳ, କେନ୍ଦ୍ରୀୟ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଓଡ଼ିଶାରୁ ଲଘୁଚାପ ଦୂରେଇବା ପରେ ଛତିଶଗଡ଼ରେ ପ୍ରବଳ ବର୍ଷା କରାଇବ। ମହାନଦୀର ତଳମୁଣ୍ଡ ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀରେ ମଧ୍ୟ ବନ୍ୟା ଆସିପାରେ।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ୨୧ରୁ ରାଜ୍ୟରେ ବର୍ଷା କମିବ । ହେଲେ ୨୦ରୁ ୨୨ ତାରିଖ ଯାଏଁ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବର୍ଷା ବଢ଼ିବା ସମ୍ଭାବନା ଅଛି । ଏହା ପ୍ରଭାବରେ ମହାନଦୀ ଫୁଲିବା ସହ ୨୩ ତାରିଖ ପରେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିପାରେ।

ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ହେବ । ଯାହାକି ୨୫ ସୁଦ୍ଧା ଲଘୁଚାପରେ ପରିଣତ ହେବ । ୨୪ରୁ ୨୬ ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ମହାନଦୀ ଜଳସ୍ତର ବଢ଼ିବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀରେ ଆସିପାରେ ବନ୍ୟା । ତେଣୁ ବନ୍ୟା ଆଶଙ୍କା ଏଯାବତ୍‌ ଟଳିନି ।

ପାଣିପାଗ ବିଭାଗ କହିଛି, ଆସନ୍ତା ୨୩ ତାରିଖବେଳକୁ ଆଉ ଏକ ଲଘୁଚାପ ହେବ । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୨୪ ଘଣ୍ଟା ଭିତରେ ଅବପାତ ରୂପ ନେବ । ଏଇ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି ।

ବର୍ଷା ଯୋଗୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ କେତେକ ଅଞ୍ଚଳରେ ପାଣି ପଶିଛି । ବାଲେଶ୍ୱରରେ ଜଳକା ବିପଦ ସଙ୍କେତ ଟପିଛି । ଜଳେଶ୍ୱରରେ କେତେକ ଅଞ୍ଚଳ ଜଳମଗ୍ନ ହୋଇଛି । ବଲାଙ୍ଗିରରେ ପ୍ରବଳ ବର୍ଷା ଯୋଗୁ ମେଡିକାଲରେ ପାଣି ପଶିଛି । ମାଲକାନଗିରିରେ ଏବେ ବି କେତେକ ଅଞ୍ଚଳ ପାଣି ଘେରରେ ଥିବାବେଳେ ରାସ୍ତାରେ ପାଣି ଚାଲୁଛି । ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଖସିଥିବାରୁ ୧୦ଟି ଗେଟ୍‌ ବନ୍ଦ କରାଯାଇଛି । ଏବେ ୧୦ଟି ଗେଟ୍‌ ଯୋଗେ ପାଣି ଛଡ଼ାଯାଉଛି । ଜଳକାକୁ ଛାଡ଼ି ବାକି ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଓ ସତର୍କ ସଙ୍କେତ ଠାରୁ ବହୁ ତଳେ ରହିଛି ।

ପାଣିପାଗ ବିଭାଗ ସତର୍କ ସୂଚନା ଅନୁଯାୟୀ ଆଜି ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ବୌଦ୍ଧରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍‌ କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।

ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ । ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହାବାଦ୍‌ ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ୨୧ରୁ ବର୍ଷା କମିବ ଓଡ଼ିଶାରେ । ଲଗାଣ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫ, ଅଗ୍ନିଶମ ଓ ଏନଡିଆରଏଫ୍‌ ଟିମକୁ ମଧ୍ୟ ସଜାଗ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.