ଶନିବାର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରବିବାର ଲଘୁଚାପ ସମ୍ଭାବନା

Published By : Prameya-News7 Bureau | May 06, 2023 IST

ଭୁବନେଶ୍ୱର ୦୬।୦୫: ଆଜି ସୁଦ୍ଧା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ଆସନ୍ତାକାଲି ଆଡ଼କୁ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୮ ତାରିଖ ସୋମବାର ସୁଦ୍ଧା ଅବପାତର ରୂପ ନେବ।

ଏହାପରେ ଅବପାତଟି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପରେ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ। ତେବେ ବାତ୍ୟା ଟି କେତେ ଘନୀଭୂତ ହେବ, ଏହାର ଗତିପଥ କିଭଳି ରହିବ ଓ ତୀବ୍ରତା କେ ତେ ରହିବ; ତାହା ଲଘୁଚାପ ସୃଷ୍ଟି ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଅନ୍ୟପଟେ ଏବେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ମଧ୍ୟ ହେଉଛି। ତେବେ ଆଜି ପରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିବ। ଧୀରେଧୀରେ ଖରାର ମାତ୍ରା ବଢ଼ିବ ଓ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.