କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2/04/2023 at 7:37 AM

ଭୁବନେଶ୍ୱର ୦୨।୦୪ : କମିଲା ପଶ୍ଚିମାଝଡ଼ ପ୍ରଭାବ । ଆଜିଠୁ ବଢିବ ତାତି । ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଖରା ପ୍ରବଳ ହେବ ଓ ଧୀରେଧୀରେ ରାଜ୍ୟର ତାପମାତ୍ରା ବଢ଼ିବ। ଆସନ୍ତା ୫ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୨୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ମଧ୍ୟରେ ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବାଧିକ ବର୍ଷା ଦାରିଙ୍ଗବାଡ଼ିଠାରେ ୬୭ ମିଲିମିଟର ରେକର୍ଡ ହୋଇଥିବା ବେଳେ କଟକର ନରାଜଠାରେ ୬୫.୨ ମିମି, ଦଶପଲ୍ଲାରେ ୬୨.୪ ମିମି, ଢେଙ୍କାନାଳରେ ୬୦.୯ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି।
ସେହିଭଳି ରାଜଧାନୀ ଭୁବନେଶ୍ବରରେ ଗତ ୨୪ ଘଣ୍ଟାରେ ୪୩.୬ ମିମି, କଟକରେ ୩୮.୨ ମିମି ବର୍ଷା ହୋଇଯାଇଛି। ଏଥିସହ ଦାରିଙ୍ଗବାଡ଼ି ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ବର୍ଷା ଫଳରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଖସିଯାଇଛି। ବର୍ଷା ଯୋଗୁଁ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରୀ ଖସିଥିବା ବେଳେ ଆଜିଠାରୁ ବଢ଼ିବ।