ପଶ୍ଚିମା-ଝଡ଼ ପ୍ରଭାବ, କିଛି ଜିଲ୍ଲାକୁ ବିଜୁଳି-ଘଡ଼ଘଡି ସହ ବର୍ଷା !
15/03/2023 at 3:02 PM

ଭୁବନେଶ୍ୱର ୧୫।୦୩ : ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି-ଘଡଘଡି ସହ ବର୍ଷାର ପ୍ରଭାବ ଦେଖାଦେଇଛି । ୨୧ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରରେ ଝଡ଼ ପବନ ସହ ପ୍ରବଳ ବର୍ଷା ହେବ ।
ଅନ୍ୟପଟେ ଗୁରୁବାର ଏବଂ ୧୭ ତାରିଖରେ ପୂରା ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ଏଭଳି ପାଗ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ସେହିପରି ୨୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ପୁଣି ଉପରମୁହାଁ ହେବ ପାରଦ । ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।