ମଙ୍ଗଳବାରଠୁ ରାଜ୍ୟରେ ହାଲୁକା ବର୍ଷା, ୭ ଜିଲ୍ଲାରେ ଘନକୁହୁଡି ଆଶଙ୍କା

Published By : Prameya-News7 Bureau | January 17, 2023 IST

ଭୁବନେଶ୍ୱର ୧୭।୦୧ : ମଙ୍ଗଳବାରଠାରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ଅଛି । ୧୭ରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୮ରେ ବି ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୧୭ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିଭଳି ୧୮ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।

ସେହିଭଳି ୭ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଅନୁଗୁଳ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ପୁରୀରେ ମଙ୍ଗଳବାର ସକାଳେ ଘନ କୁହୁଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ପାଇଁ ରାଜପଥରେ ଦୁର୍ଘଟଣାର ଆଶଙ୍କା ରହିଛି । ଏହାକୁ ଏଡ଼ାଇବାକୁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଦିନବେଳା ପାଗ ମେଘୁଆ ରହିଛି । ବହୁ ସ୍ଥାନରେ ଦିନ ତାପମାତ୍ରା ୩୦ଡିଗ୍ରୀରୁ କମ୍‌ ରହିଛି ।

ସୋମବାର ୪ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳେ ଥିଲା । କୋରାପୁଟରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ୭ଡିଗ୍ରୀ, ଜି ଉଦୟଗିରିରେ ୮.୪, ସିମିଳିଗୁଡାରେ ୯.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ୧୦.୫, କିରେଇରେ ୧୧.୨, ଦାରିଙ୍ଗିବାଡିରେ ୧୨.୫, ଝାରସୁଗୁଡାରେ ୧୧.୬ ଓ ସୁନ୍ଦରଗଡରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.