ଆଗାମୀ ଦୁଇ ଦିନ କୁହୁଡି, ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

Published By : Prameya-News7 Bureau | January 12, 2023 IST

ଭୁବନେଶ୍ୱର ୧୨।୦୧ : ରାଜ୍ୟର ୧୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆଗାମୀ ଦୁଇ ଦିନ ଯାଏ ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିବ । ଏଥିପାଇଁ ଶୀତର ପ୍ରଭାବ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସିମିଳିଗୁଡ଼ାରେ ୪ . ୯ , ଫୁଲବାଣୀରେ ୬.୫, କୋରାପୁଟରେ ୭, କିରେଇରେ ୭.୭, ରାଉରକେଲାରେ ୭.୮, ଝାରସୁଗୁଡାରେ ୮, ଚିପିଲିମାରେ ୮.୪, ସୁନ୍ଦରଗଡ଼ରେ ୮.୭, ଭବାନୀପାଟଣାରେ ୮.୮, ଦାରିଙ୍ଗିବାଡ଼ିରେ ୯, କେନ୍ଦୁଝରରେ ୯.୫ ଓ ରାଣୀତାଲରେ ୯.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆସନ୍ତା ଦୁଇ ଦିନ ଯାଏ କୁହୁଡ଼ି ଦୃଶ୍ୟମାନ ହେବ । ଗୁରୁବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ କୁହୁଡି ଦେଖାଯିବ । ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ଉପକୂଳରେ ଶୀତ କମିବ । କିନ୍ତୁ ଉତ୍ତର ଓଡ଼ିଶାରେ ଶୀତ ଅଧିକ ରହିବ। ଆସନ୍ତା ୧୨ ଓ ୧୩ ରାତି ରାଜ୍ୟରେ ଶୀତ ଆହୁରି କମିବ । ଶନିବାରଠାରୁ ଶୀତ ପୁଣି ବଢ଼ିବ । ୧୩ ତାରିଖ ସାରା ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ଯୋଗୁଁ ଶୀତ କମିବ । ୧୩ରୁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ଉତ୍ତରା ପବନ ବହିବ । ୧୪ ଓ ୧୫ରେ ୩ ଡିଗ୍ରୀ କମିବାର ସମ୍ଭାବନା ଅଛି । ୧୭ ଓ ୧୮ରେ ରାତି ତାପମାତ୍ରା ପୁଣି ୩ ଡିଗ୍ରୀ କମିବା ଯୋଗୁଁ ଶୀତ ବଢ଼ିବ ବୋଲି ସେ କହିଛନ୍ତି ।

ଦକ୍ଷିଣ ଆଭ୍ୟନ୍ତରରେ ୧୪ ଓ ୧୫ରେ ୨ରୁ ୩ ଡିଗ୍ରୀ କମିପାରେ । ୧୮ ସୁଦ୍ଧା ଏହା ଅପରିବର୍ତ୍ତିତ ରହିବ । ୧୬ରୁ ୧୮ ଯାଏ କୁହୁଡ଼ି ଦେଖାଯିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୬ରୁ ୧୮ ଯାଏ ପାଗ ଆଶିଂକ ମେଘୁଆ ଓ କୁହୁଡ଼ି ରହିବ । ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମ୍‌ ରହିପାରେ ବୋଲି ଡ. ପଶୁପାଳକ କହିଛନ୍ତି । ପାଉଁଶିଆ ରୋଗ, ଜଉ ପୋକ, ପତ୍ରପୋଡ଼ା ରୋଗ ବଢ଼ିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.