୩ରୁ୪ ଡିଗ୍ରୀ ବଢିବ ତାପମାତ୍ରା, ଆଗାମୀ ୫ ଦିନ ଯାଏଁ କମିବ ଶୀତ

Published By : Prameya-News7 Bureau | January 02, 2023 IST

ଭୁବନେଶ୍ୱର ୦୨।୦୧: ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ବଢୁଛି । ଆସନ୍ତା ୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି । ସେପଟେ ସୋମବାରଠାରୁ ଉପକୂଳକୁ ଶୀତ ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏବେ ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଆଗାମୀ ୪ରୁ ୫ ଦିନ ଯାଏ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ପୁଣି ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ବାୟୁ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ବଢ଼ିଛି । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ବାୟୁମଣ୍ଡଳରେ ସ୍ଥିରତା ବଢିଛି । ରାତିରେ ଆକାଶ ନିର୍ମଳ ରହୁଥିବାରୁ ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ଅଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପୁରୀରେ ରାତି ତାପମାତ୍ରା ୨୪ ଡିଗ୍ରୀ ଥିଲା । ପାରାଦୀପରେ ୨୩, ଗୋପାଳପୁରରେ ୨୧.୩, ଚାନ୍ଦବାଲିରେ ୨୦.୨, ଭୁବନେଶ୍ୱରରେ ୧୯.୯ ଓ କଟକରେ ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୧୧.୨, ସୁନ୍ଦରଗଡ଼ରେ ୧୧.୫ ଓ ସିମିଳିଗୁଡ଼ାରେ ୧୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଶୀତକୁ ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ଆକଳନ କରିଛନ୍ତି । ୨ ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାକୁ ଶୀତ ଫେରିବ । ରାତି ତାପମାତ୍ରା ୨ ଡିଗ୍ରୀ କମିବ । ୬ ଓ ୭ରେ ଆଉ ଦୁଇ ଡିଗ୍ରୀ କମିଯିବ ବୋଲି ସେ ଆକଳନ କରିଛନ୍ତି । ଦକ୍ଷିଣ ଆଭ୍ୟନ୍ତରରେ ୩ ଓ ୪ ତାରିଖରେ ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିବ । ୬ ଓ ୭ ବେଳକୁ ରାତି ତାପମାତ୍ରା ୪ଡିଗ୍ରୀ ପର୍ଯ୍ୟନ୍ତ କମିଯିବ । ବୌଦ୍ଧ, କନ୍ଧମାଳ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.