୧୪ରୁ ପୁଣି ବଢିବ ଶୀତ, ୪ ଡିଗ୍ରୀ କମିପାରେ ତାପମାତ୍ରା

Published By : Prameya-News7 Bureau | December 12, 2022 IST

ଭୁବନେଶ୍ୱର ୧୨।୧୨ : ଉପକୂଳ ଓଡ଼ିଶାରେ ୧୫ ତାରିଖ ଯାଏ ଅଧିକ ଶୀତ ଅନୁଭୂତ ହେବନି । କିନ୍ତୁ ଦିନରେ ପାଗ କୋହଲା ରହିବ । କିନ୍ତୁ ରାତିରେ ଶୀତ କମ୍‌ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାକୁ ୧୪ ଓ ୧୫ ତାରିଖରେ ଶୀତ ଫେରିବ । ଉପକୂଳରେ ୧୬ ତାରିଖ ପରେ ଶୀତ ବଢ଼ିବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ପଶୁପାଳକ ଏଭଳି ଆକଳନ କରିଛନ୍ତି ।

ଏବେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉନି । ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା କାରଣରୁ ଶୀତ କମିଛି । ରାଜ୍ୟକୁ ଉତ୍ତରା ପବନ ଆସୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଉପକୂଳ ଓଡ଼ିଶାରେ ୧୫ତାରିଖ ଯାଏ ଏଭଳି ପାଗ ଅପରବର୍ତ୍ତିତ ରହିବ । ୧୬ ତାରିଖ ଠାରୁ ପାଗ ବଦଳିବ । ପୁଣି ଉତ୍ତରା ପବନ ବହିବ ଓ ଅଧିକ ଶୀତ ଅନୁଭୂତ ହେବ । ଏହାର ଦୁଇ ଦିନ ଆଗରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ବଦଳି ଯାଇଥିବ । ଉତ୍ତର ଆଭ୍ୟନ୍ତରୀଣରେ ୧୪ରୁ ରାତି ତାପମାତ୍ରା କମିବ । ପ୍ରାୟ ୪ ଡିଗ୍ରୀ କମିପାରେ । ୧୫ରୁ ଦକ୍ଷିଣ ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୫ ଡିଗ୍ରୀ କମିବ । ୧୬ରେ ଉପକୂଳରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମିପାରେ ବୋଲି ସେ କହିଛନ୍ତି ।

ଆସନ୍ତା ଦୁଇ ସପ୍ତାହରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୩ ବେଳକୁ ଆରବ ସାରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ପର ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ହେବ । ୧୯ ତାରିଖରୁ ଶୀତ ପୁଣି ଉଭାନ୍‌ ହୋଇଯିବ । ରାଜ୍ୟକୁ ଉତ୍ତରା ପବନ ବହିବା ବନ୍ଦ ହେବା ଯୋଗୁ ତାପମାତ୍ରା ବଢ଼ିବ ଓ ଶୀତ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । ଦାରିଙ୍ଗିବାଡି ଓ ସୁନ୍ଦରଗଡରେ ସର୍ବନିମ୍ନ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅଧିକାଂଶ ସ୍ଥାନରେ ଶୀତ କମିଯାଇଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୭ ଓ ୧୮ ଡିଗ୍ରୀ ଉପରେ ରହିଛି । ମାଲକାନଗିରିରେ ରାତି ତାପମାତ୍ରା ୨୨ ଡିଗ୍ରୀ ରହିଛି । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ବିଶେଷ ବଦଳିବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୮ତାରିଖରୁ ତାପମାତ୍ରା କମିବା ଯୋଗୁ ଶୀତ ବଢ଼ିବ । କୁହୁଡ଼ି ରହିବ । ୧୩ରେ ହେବାକୁ ଥିବା ଲଘୁଚାପ ବିଶେଷ ଘନୀଭୂତ ହେବନି । ଓଡ଼ିଶାରେ ଏହାର ପ୍ରଭାବ ରହିବନି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.