ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା

Published By : Prameya-News7 Bureau | December 05, 2022 IST

ଭୁବନେଶ୍ୱର ୦୫।୧୨ : ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଭାରତ ମହାସାଗର ଓ ଏହା ସଂଲଗ୍ନ ମାଇକ୍ରୋ ଷ୍ଟେଟ୍‌ ଅଞ୍ଚଳକୁ ପ୍ରବେଶ କରିଛି । ସୋମବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଗଜପତି ଓ ରାୟଗଡାରେ ଅଧିକ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।

ଡ. ସାହୁ କହିଛନ୍ତି, ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ୮ ତାରିଖ ବିଳମ୍ବିତ ରାତିରେ ବର୍ଷା ଆରମ୍ଭ ହୋଇଯିବ । ୯ରେ ଏ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ତେବେ ୮ ତାରିଖରୁ ଶୀତ କମିଯିବ । ପାଗ ମେଘୁଆ ରହିଲେ ବି ରାତି ତାପମାତ୍ରା ବଢିବ ବୋଲି ସେ କହିଛନ୍ତି । ରାଜ୍ୟରେ ଶୀତ ପ୍ରାୟ ୩ ଡିଗ୍ରୀ କମିବ । ଆସନ୍ତା ୨ରୁ ୩ ଦିନ ଭିତରେ ରାତି ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେବା ସମ୍ଭାବନା ରହିଛି ।

ରବିବାର କୋରାପୁଟରେ ସବୁଠୁ ଅଧିକ ଥଣ୍ଡା ରହିଥିଲା । ଏଠାରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଥିଲା । ଜି ଉଦୟଗିରିରେ ୧୩, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୩.୮, କେନ୍ଦୁଝରରେ ୧୪.୬, ରାଣୀତାଳରେ ୧୫, ବାଲେଶ୍ୱରରେ ୧୫.୩, ବାରିପଦାରେ ୧୫.୪, ଅନୁଗୁଳରେ ୧୫.୬, ସିମିଳିଗୁଡ଼ାରେ ୧୫.୬ ତାପମାତ୍ରା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.