ଥରିବ ଓଡିଶା, ୩ରୁ ସାରା ରାଜ୍ୟରେ ପ୍ରବଳ ଶୀତ

Published By : Prameya-News7 Bureau | November 29, 2022 IST

ଭୁବନେଶ୍ୱର ୨୯।୧୧ : ରାଜ୍ୟକୁ ଉତ୍ତରା ପବନ ବହୁଥିଲା । ଏବେ ଉତ୍ତର ପୂର୍ବରୁ ପବନ ବହିବ । ଏଥିପାଇଁ ଶୀତ କମିବ । ଡିସେମ୍ବର ୩ରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ଭାରି ଶୀତ ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିିଶାରେ ବୁଧବାରରୁ ଶୁକ୍ରବାର ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସୋମବାର ରାତିରୁ ବୁଧବାର ରାତି ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିପାରେ ବୋଲି ସେ କହିଛନ୍ତି ।

ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏହି ସମୟରେ ଭାରୀ ଶୀତ ଅନୁଭୂତ ହୋଇପାରେ ବୋଲି ଡ.ପଶୁପାଳକ କହିଛନ୍ତି । ଏହି ସମୟରେ କୋବି, ଶିମ୍ବ ଓ ଡାଲିଜାତୀୟ ଫସଲରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି । ସୋରିଷ ଓ ଗେଣ୍ଡୁରେ ପାଉଁଶିଆ ରୋଗ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ସେ ସତର୍କ କରାଇଛନ୍ତି ।

ରାତିରେ ୪ଡିଗ୍ରୀ ତାପମାତ୍ରା ଯୋଗୁ ଜମ୍ମୁକାଶ୍ମୀର ଥରୁଛି । ଏପଟେ କିନ୍ତୁ ଆମ ରାଜ୍ୟରେ କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀକୁ ଖସିଆସଛି । ଜି. ଉଦୟଗିରି, ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗିବାଡି ଓ କୋରାପୁଟରେ ରାତି ତାପମାତ୍ରା ୧୦ଡିଗ୍ରୀରୁ ତଳେ ରହିଛି ।

ଭବାନୀପାଟଣାରେ ୧୦, ଝାରସୁଗୁଡାରେ ୧୧.୨, ହୀରାକୁଦରେ ୧୧.୯, ଦେବଗଡରେ ୧୨, ସୁନ୍ଦରଗଡରେ ୧୨, ଅନୁଗୁଳରେ ୧୨, ବଲାଙ୍ଗୀରରେ ୧୨.୮, ସୋନପୁରରେ ୧୩ ଓ ଦେବଗଡରେ ରାତି ତାପମାତ୍ରା ୧୨ଡିଗ୍ରୀ ଥିଲା । ଭୁବନେଶ୍ୱରରେ ୧୪ ଓ କଟକର ରାତି ତାପମାତ୍ରା ୧୫ଡିଗ୍ରୀ ଥିଲା । ଆଗକୁ ରାଜ୍ୟରେ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.