ଖସିଲା ପାରଦ, ରାଜ୍ୟରେ ବଢିବ ଶୀତ

Published By : Prameya-News7 Bureau | November 13, 2022 IST

ଭୁବନେଶ୍ୱର,୧୩।୧୧ : ପାରଦ ଖସିଛି । ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ୫ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ, କୋରାପୁଟ ୧୩, ଫୁଲବାଣୀ ୧୩.୫, ବୌଦ୍ଧ ୧୩.୫ ଓ ଭବାନୀପାଟଣା ୧୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଏହାବାଦ୍‌ ଦେବଗଡ଼ରେ ରାତି ପାରଦ ୧୬, କେନ୍ଦୁଝର ୧୬, ଝାରସୁଗୁଡ଼ା ୧୬.୬ ଡିଗ୍ରୀ ସେଲସିୟସ୍‌ ଥିଲା।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୧୬ ଯାଏ ପାଗ ବଦଳିବା ସମ୍ଭାବନା କମ୍‌ । ଆସନ୍ତା ୩ଦିନ ଭିତରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିପାରେ । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ଅଧିକ ହ୍ରାସ ପାଇବ । ଦୁଇଦିନ ତଳେ ରାତି ତାପମାତ୍ରା ଯେତିକି ଥିଲା, ତା’ଠାରୁ ୧ରୁ ୨ ଡିଗ୍ରୀ ଖସିଛି । ଆସନ୍ତା ୧୪ ତାରିଖବେଳକୁ କେତେକ ଜାଗାରେ ୧୦ ଡିଗ୍ରୀ ପାଖାପାଖି ପାରଦ ରହିପାରେ ।

ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୧୬ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଲଘୁଚାପ ଆଣ୍ଡାମାନ ସାଗର ତଳକୁ ସୃଷ୍ଟି ହେବ । ଏହା ଘନୀଭୂତ ହେବା ସମ୍ଭାବନା ରହିଛି । ସାଧାରଣତଃ ଏହି ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ବା ବାତ୍ୟା ତାମିଲନାଡୁ ଉପକୂଳ ମୁହାଁଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.