ଆସୁଛି ଆଉ ଏକ ଲଘୁଚାପ ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

Published By : Prameya-News7 Bureau | October 08, 2022 IST

ଭୁବନେଶ୍ୱର ୦୮।୧୦ : ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।

 ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୯ ତାରିଖରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିପାରେ । ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଠାଏ ଠାଏ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି

। ଅକ୍ଟୋବର ୧ରୁ ୭ ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ଏହି ସମୟ ଭିତରେ ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ୬୦% କମ୍‌ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍‌ ବର୍ଷିଛି । କୋରାପୁଟ ଓ ବଲାଙ୍ଗୀରରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଶୁକ୍ରବାର ଟିଟିଲାଗଡ଼ରେ ୩୧ ମିମି, ଢେଙ୍କାନାଳରେ ୧୨, ଦାରିଙ୍ଗିବାଡ଼ିରେ ୧୨, ହୀରାକୁଦ ଓ ତାଳଚେରରେ ୧୨ ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.