ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା

Published By : Prameya-News7 Bureau | September 27, 2022 IST

ଭୁବନେଶ୍ୱର ୨୭।୦୯ : ଏଥର ଦଶହରାକୁ ଭିଜାଇବ ବର୍ଷା । ଆସନ୍ତା ୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ପ୍ରଭାବରେ ପୂଜା ସମୟରେ ପ୍ରବଳ ବର୍ଷା ହେବ । ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛି ।

କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ଚାଇନା ସାଗରରେ ଟାଇଫୁନ୍‌ ନୋରୁର ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଓ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ବାୟୁମଣ୍ଡଳ ଉପରଭାଗରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ବାଂଲାଦେଶ ଉପକୂଳବର୍ତ୍ତୀ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳକୁ ଆସିବ । ପରଦିନ ଏହା ପଶ୍ଚିମ ଓଡ଼ିଶାକୁ ମୁହାଁଇବ ।

୨ ତାରିଖରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଡେଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ୪ରୁ ୬ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସେପଟେ ୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୨୮ ଓ ୨୯ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.