କୁମାର ପୂର୍ଣ୍ଣିମା ଯାଏଁ ବର୍ଷା ପାଗ, ୩୦ରେ ଘୂର୍ଣ୍ଣିବଳୟ !

Published By : Prameya-News7 Bureau | September 26, 2022 IST

ଭୁବନେଶ୍ୱର ୨୬।୦୯ : ଏମିତି ପାଗ ରହିବ । ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ । ଠାଏ ଠାଏ ବଡ଼ ବର୍ଷା ହୋଇପାରେ । ଆଗାମୀ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ସମ୍ଭାବନା କ୍ଷୀଣ । କେବେ ଟ୍ରଫଲାଇନ ତ କେବେ ଘୂର୍ଣ୍ଣିବଳୟ, ପୁଣି କେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ନିୟମିତ ବର୍ଷା ସମ୍ଭାବନା ଅଛି ।

ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରବିବାର ଆନ୍ଧ୍ର ଉପକୂଳରୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୯ରେ ଏହା ଏକ ବିସ୍ତୀର୍ଣ୍ଣ ଟ୍ରଫରେ ମିଶିଯିବ । ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଥାଇଲାଣ୍ଡ ଦେଇ ଲଘୁଚାପର ଅଂଶବିଶେଷ ଆସି ମିଆଁମାର ଉପକୂଳରେ ଆସନ୍ତା ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରାଇବା ସମ୍ଭାବନା ଅଛି । ଏହା ଅକ୍ଟୋବର ୨ରେ ବାଂଲାଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ସଂଲଗ୍ନ ବଙ୍ଗୋପ ସାଗରରେ ରହିବ।

ଆସନ୍ତା ୩ ଓ ୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ରହିବ । ଆସନ୍ତା ୬ ତାରିଖବେଳକୁ ପ୍ରଶାନ୍ତ ମହାସାଗରରୁ ଅଂଶ ବିଶେଷ ଆସି ମିଶିବାରୁ ଏକ ଲଘୁଚାପ ମିଆଁମାର ଉପକୂଳରେ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଅବପାତରେ ପରିଣତ ହୋଇପାରେ । ଏଥିଯୋଗୁ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଓ ୨୬-୨୭ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ପ୍ରତ୍ୟେକ ଦିନ ହାଲୁକାରୁ ସ୍ୱଳ୍ପ ବର୍ଷା (ହାରାହାରି ୬୦ ମିମି), ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା (୩୦ ମିମି), ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ (ହାରାହାରି ୯୦ ମିମି) ବର୍ଷା ହୋଇପାରେ । ଲଘୁଚାପ ଯଦି ହୁଏ, ତେବେ ରାଜ୍ୟରେ ୭ରୁ ୧୦ ଯାଏ ଅଧିକ ବର୍ଷା ହେବ । ଧାନ ଫସଲରେ ପାଗ ଦେଖି ୟୁରିଆ ସାର ପ୍ରୟୋଗ କରିବା ଆବଶ୍ୟକ । ସାର ପ୍ରୟୋଗ ପରେ ୪୮ ଘଣ୍ଟା ଜମିରେ ପାଣି ବାନ୍ଧି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଫେସର ପଶୁପାଳକ ।

ପାଣିପାଗ ବିଭାଗ କହିଛି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ରହିଛି । ରାଜ୍ୟରେ ବର୍ତ୍ତମାନ ପାଗ ମେଘୁଆ ରହିବ । କିଛି ଜାଗାରେ ବର୍ଷା ହେବ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୨୮ ଓ ୨୯ରେ ବର୍ଷା ସମ୍ଭାବନା କମ୍‌ ରହିଛି । ରବିବାର ଦିନ ଭିତରେ ଜଗତସିଂହପୁର, ପୁରୀ, ଚାନ୍ଦବାଲି, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର, ଗୋପାଳପୁରରେ ବର୍ଷା ହେବା ସହ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.