ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ରାଜ୍ୟରେ କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 08, 2022 IST

ଭୁବନେଶ୍ୱର ୦୮।୦୯: ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏ ବ୍ୟାପିଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ ତାରିଖରୁ ରାଜ୍ୟରେ ବିସ୍ତୃତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ତେବେ ୫ ଦିନ ଯାଏ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ୯ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେପ୍ଟେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅତିପ୍ରବଳ ବର୍ଷା ହେବା ଅଞ୍ଚଳରେ ଭୂସ୍ଖଳନ ହେବା ସହିତ ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ। ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.