ଓଡିଶାକୁ ପୁଣି ବାତ୍ୟା ଭୟ, ୨ୟ ସପ୍ତାହରେ କରିପାରେ ଲ୍ୟାଣ୍ଡଫଲ୍‌

Published By : Prameya-News7 Bureau | September 03, 2022 IST

ଭୁବନେଶ୍ୱର ୦୩।୦୯: ପିଛା ଛାଡୁନି ବିପତ୍ତି । ବନ୍ୟା କ୍ଷତ ଶୁଖିନି । ଏପଟେ ମାଡ଼ି ଆସୁଛି ବାତ୍ୟା ବିପଦ । ଆସନ୍ତା ୧୦ କିମ୍ବା ୧୧ ତାରିଖରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ଏହା କେଉଁ ସ୍ଥାନରେ ସ୍ଥଳଭାଗକୁ ପଶିବ, ଏବେ କହି ହେବନି । ଏହା କେବଳ ପ୍ରାକ ଆକଳନ । ଆଗକୁ ପାଣିପାଗର ସମ୍ଭାବ୍ୟ ଚିତ୍ର ମଧ୍ୟ ବଦଳିପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଜିଏଫଏସ ମଡେଲର ସମ୍ଭାବ୍ୟ ଚିତ୍ର ମାଧ୍ୟମରେ ବାତ୍ୟା ସୃଷ୍ଟି ନେଇ ସଙ୍କେତ ଦେଖାଇଛି । ଏଥିରୁ ଜଣାପଡ଼ୁଛି, ଆସନ୍ତା ୭ କିମ୍ବା ୮ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ମିଆଁମାରର ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୯ ତାରିଖବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବ । ୧୦ ତାରିଖବେଳକୁ ଏହା ପୁରୀରୁ ପାରାଦୀପ ମଝିରେ ଓଡ଼ିଶା ଉପକୂଳ ଛୁଇଁପାରେ ।

ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଆଉ କେତେକ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଗୋପାଳପୁରରୁ ବାଲେଶ୍ୱର ଭିତରେ ଯେ କୌଣସି ସ୍ଥାନରେ ଉପକୂଳ ଛୁଇଁବା ସମ୍ଭାବନା ଅଛି । ଖାଲି ସେତିକି ନୁହେଁ, ଏହା ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ପ୍ରବେଶ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ବିଭିନ୍ନ ମଡେଲର ଆକଳନକୁ ବିଶ୍ଳେଷଣ କରି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରାକ ଆକଳନରେ ଦର୍ଶାଇଛନ୍ତି, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟର ଅଂଶବିଶେଷ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ୭ ତାରିଖବେଳକୁ ଲଘୁଚାପ ତିଆରି କରିପାରେ । ଏହା ୮ରେ ଅବପାତ ଓ ୯ରେ ଗଭୀର ଅବପାତ କିମ୍ବା ବାତ୍ୟା ରୂପ ନେବା ସହ ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନା ଅଛି । ଯଦି ଏମିତି ହୁଏ, ତେବେ ସମ୍ଭବତଃ ୧୧ ତାରିଖରେ ତାହା ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ ଛୁଇଁପାରେ।

ଉପକୂଳ ପ୍ରବେଶ କରିବାବେଳକୁ ତାହା ବାତ୍ୟା ଅବସ୍ଥାରେ ଥିବା ଅନୁମାନ କରାଯାଉଛି । ଏନସିଇପି ମଡେଲ ବାତ୍ୟା ହେବା ନେଇ ସ୍ପଷ୍ଟ ଆକଳନ କରୁଥିବାବେଳେ ଏନସିଏମଡବ୍ଲ୍ୟୁଏଫ ମଡେଲ ଗଭୀର ଅବପାତ କିମ୍ବା ବାତ୍ୟା ପାଖାପାଖି ସ୍ଥିତି ନେଇ ପୂର୍ବାନୁମାନ କରିଛି । ଏହା ପ୍ରାକ୍‌ ଆକଳନ । ଆଗକୁ ସ୍ଥିତି ପରିବର୍ତ୍ତନ ହୋଇପାରେ । ଏମିତିକି ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗକୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ୭ ତାରିଖ ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ । ଏହି ଲଘୁଚାପ ପରେ ଆସନ୍ତା ୧୮ରୁ ୨୦ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ସମ୍ଭାବ୍ୟ ସ୍ଥିତିର ପ୍ରଭାବ କ’ଣ ହେବ, ଏବେଠାରୁ ଆକଳନ କରିହେବନି । ମାତ୍ର ଏଭଳି ଖବର ନିଶ୍ଚିତ ଭାବେ ଚିନ୍ତା ବଢ଼ାଇଛି । ଏଥିରେ ବିଶେଷ କରି ଚାଷୀ କୂଳ ପ୍ରଭାବିତ ହେବା ଆଶଙ୍କା ରହିଛି । ବନ୍ୟା ଦାଉରୁ ବର୍ତ୍ତିଯାଇଥିବା ଫସଲ ଉଜାଡ଼ି ଦେଇପାରେ । ବନ୍ୟାରେ ୨୪ଟି ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବାବେଳେ ବିପନ୍ନଙ୍କୁ ଏଯାବତ୍‌ କ୍ଷତିପୂରଣ ସହାୟତା ରାଶି ମିଳିନି । ଅନେକଙ୍କ ଘର ବନ୍ୟାରେ ଭାଙ୍ଗିଥିିବାବେଳେ କେହି କେହି ପଲିଥିନ ଛପର କିମ୍ବା ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସେମାନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇପାରେ ସମ୍ଭାବ୍ୟ ବାତ୍ୟା । ବନ୍ୟା କ୍ଷୟକ୍ଷତି ହିସାବରେ ବ୍ୟସ୍ତ ପ୍ରଶାସନ ପାଇଁ ପୁଣି ଏକ ଚାଲେଞ୍ଜ ଆଣିପାରେ ସମ୍ଭାବ୍ୟ ବାତ୍ୟା ।

ଡକ୍ଟର ପଶୁପାଳକ କହିଛନ୍ତି, ସାଧାରଣତଃ ସେପ୍ଟେମ୍ବର ମାସରେ ବାତ୍ୟା ସୃଷ୍ଟି ହୋଇନଥାଏ । ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ । ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବା ସ୍ୱାଭାବିକ ନୁହେଁ । କାରଣ ଏହି ସମୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଛି ।

ଅପରପକ୍ଷରେ ଆରବ ସାଗରରେ ସ୍ୱାଭାବିକଠାରୁ ଦେଢ଼ ଡିଗ୍ରୀ କମ୍‌ ରହିଛି ତାପମାତ୍ରା । ଦକ୍ଷିଣ ଚାଇନା ସାଗରରେ ଏବେ ସମୁଦ୍ର ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଅଛି । ଚଳିତବର୍ଷ ବର୍ତ୍ତମାନଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେବା ଅବଧି ଭିତରେ ବାରମ୍ବାର ଲଘୁଚାପ ସୃଷ୍ଟି ହୋଇପାରେ । ଏଭଳି ସ୍ଥିତି ଯୋଗୁ ଆଗାମୀ ନଭେମ୍ବର ପର୍ଯ୍ୟନ୍ତ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ବଢ଼ିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.