ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୧ ଯାଏ ପ୍ରବଳ ବର୍ଷିବ

Published By : Prameya-News7 Bureau | August 07, 2022 IST

ଭୁବନେଶ୍ୱର ୦୭।୦୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ୧୧ ତାରିଖ ଯାଏ ପ୍ରବଳ ବର୍ଷିବ । ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ତେବେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଗଞ୍ଜାମ, ପୁରୀ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇପାରେ । ରାସ୍ତା ଧୋଇଯିବା ହେବା ସହ କଚ୍ଚା ଘର ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । କିଛି ସ୍ଥାନରେ ଭୂସ୍ଖଳନର ଆଶଙ୍କା ଥିବା ନେଇ ସତର୍କ କରାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ୱେଲ ମାର୍କେଡ୍ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ସୋମବାର ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ପୂର୍ବରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ସାରିଥିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.