ରଥଯାତ୍ରାରେ କମ୍‌ ବର୍ଷିବ, ୪ରେ ଲଘୁଚାପ ସମ୍ଭାବନା...

Published By : Prameya-News7 Bureau | June 30, 2022 IST

ପୁରୀ ୩୦।୦୬ : ରଥଯାତ୍ରାରେ ବିଶେଷ ବର୍ଷା ନାହିଁ । ମୌସୁମୀ ପ୍ରଭାବରୁ ଝିପିଝିପି ବର୍ଷା ହୋଇପାରେ । କିନ୍ତୁ ବଡ଼ ବର୍ଷା ନାହିଁ। ଏଥର ରଥଯାତ୍ରାରେ ପ୍ରବଳ ଜନସମାଗମ ହେବ । ବର୍ଷା ସମ୍ଭାବନା କମ୍‌ ଥିବାରୁ ଭୀଷଣ ଗରମ ଓ ଗୁଳୁଗୁଳି ଭକ୍ତଙ୍କୁ ଅସ୍ତବ୍ୟସ୍ତ କରିବ। ସେପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ବୁଧବାର ୧୩ ଜିଲ୍ଲାରେ କୌଣସି ବର୍ଷା ହୋଇନି । ୬ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଭଲ ବର୍ଷା ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ରଥଯାତ୍ରାରେ ମୌସୁମୀ ପ୍ରଭାବରୁ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ । ଉତ୍ତର ଓଡିଶାରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୪ ତାରିଖରେ ଲଘୁଚାପର ରୂପ ନେଇପାରେ । କିନ୍ତୁ ଏହା ପ୍ରଭାବୀ ହେବନି । ଏହା ପ୍ରଭାବରେ ଭାରି ବର୍ଷା ସମ୍ଭାବନା କମ୍‌ । ହଁ, ଲଗାଣ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ତେବେ ଆସନ୍ତା ୩୦ରୁ ୩ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଅଧିକ ବର୍ଷା ଅଛି । ୨ ଓ ୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭଲ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ବିସ୍ତୃତ ଓଡ଼ିଶାରେ ଭଲ ବର୍ଷା ନାହିଁ । ଏପରିକି ୪ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ବଡ ବର୍ଷା ସମ୍ଭାବନା କମ୍‌ ବୋଲି ଡ. ସାହୁ କହିଛନ୍ତି ।

ବୁଧବାର ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ଗୋପାଳପୁର, ପୁରୀ, ଅନୁଗୁଳ, ଝାରସୁଗୁଡା, କେନ୍ଦୁଝର, ଭଳି ଅଧିକାଂଶ ଜିଲ୍ଲା ଶୁଖିଲା ପଡିଥିଲା । ରାଜଧାନୀ ସମେତ ଆହୁରି କିଛି ସ୍ଥାନରେ ଦିନବେଳା ଟାଣ ଖରା ହୋଇଥିଲା । ତେବେ ପାରଳାଖେମୁଣ୍ଡିରେ ୪୫ମିଲିମିଟର ଓ ବରଗଡ଼ରେ ୨୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.